ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାପାଳ ଦିଲିପ ରାଉତରାଏ ଗତ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ପାଇଁ ଜିଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଛୁଟି ଘୋଷଣା କରିଥିଲେ। ତେବେ ଶନିବାର ବିଦ୍ୟାଳୟ ଖୋଲିବା ପରେ ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତର ଇଛଦା ସ୍ଥିତ ତପନେଶ୍ୱର ସରକାରୀ ଉଚ୍ଚ ବିଦ୍ୟାପୀଠରେ ଏକ ଗମ୍ଭୀର ପରିସ୍ଥିତି ଦେଖିବାକୁ ମିଳିଛି।

ପ୍ରବଳ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ବିଦ୍ୟାଳୟ ପରିସର ଜଳମଗ୍ନ ହୋଇଯାଇଥିବା ବେଳେ କାର୍ଯ୍ୟାଳୟ ଓ ଶ୍ରେଣୀ ଗୃହ ଭିତରକୁ ପାଣି ପଶିଯାଇଛି। ଫଳରେ ପଢ଼ାଶୁଣା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଶ୍ରେଣୀ ଗୃହ ବାହାରେ ବୁଲୁଥିବାର ଦେଖାଯାଇଛି। ଏହି ଜଳବନ୍ଦୀ ଅବସ୍ଥା ମଧ୍ୟରେ ବିଦ୍ୟାଳୟ ଭିତରକୁ ଏକ ବଡ଼ ବିଷଧର ସାପ ପଶିଯିବା ଫଳରେ କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଅନେକ ବିଦ୍ୟାର୍ଥୀ ଭୟରେ କ୍ଲାସରୁମ୍ ଛାଡ଼ି ବାହାରକୁ ପଳାଇ ଆସିଥିଲେ।

ବିଦ୍ୟାଳୟର ଏଭଳି ଦୁରବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୩ ବର୍ଷ ପୂର୍ବେ ପୂର୍ବତନ ସରକାରଙ୍କ ସମୟରେ ଏହି ଶିକ୍ଷାନୁଷ୍ଠାନକୁ ‘୫ଟି’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ରୂପାନ୍ତରିତ କରାଯାଇଥିଲା। ମାତ୍ର ସେତେବେଳେ ସ୍ଥାନୀୟ ଠିକାଦାର ଓ ରାଜନୈତିକ ପ୍ରଭାବ ଯୋଗୁଁ କାର୍ଯ୍ୟ ନିମ୍ନମାନର ହୋଇଥିଲା। ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ପ୍ରତି ଆଦୌ ଗୁରୁତ୍ୱ ଦିଆଯାଇ ନ ଥିବା ବେଳେ ପାନୀୟ ଜଳ ଓ ନୂତନ ଶୌଚାଳୟ ନିର୍ମାଣ ନ କରି କେବଳ ପୁରୁଣା ଶୌଚାଳୟ ଏବଂ ଜରାଜୀର୍ଣ୍ଣ ଗୃହକୁ ରଙ୍ଗ ମାରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ନେଇ ସେତେବେଳେ ସ୍ୱର ଉତ୍ତୋଳନ ହୋଇଥିଲା। ମାତ୍ର ତତ୍କାଳୀନ ନେତାଙ୍କ ଦବଦବା ଯୋଗୁ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇପାରି ନ ଥିଲା।

ପୂର୍ବ ସରକାର ସମୟର ଏହି ଦୁର୍ନୀତି ଓ ଦାୟିତ୍ୱହୀନତାର ପରିଣାମ ଏବେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଭୋଗୁଛନ୍ତି। ପ୍ରତିବର୍ଷ ସାମାନ୍ୟ ବର୍ଷା ହେଲେ ଏଠାରେ ସମାନ ସମସ୍ୟା ଉପୁଜୁଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଓ ଜିଲା ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକମାନେ ଦୃଢ଼ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share