ନୂଆପଡ଼ା,୧୮ା୪ (ମକାରୁ ବେମାଲ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲା ପ୍ରଶାସନ ସମସ୍ତ ସ୍କୁଲକୁ ତିନିଦିନ ପାଇଁ ବନ୍ଦ ଘୋଷଣା କରିଛି। ଜିଲାରେ ଚଳିତ ସପ୍ତାହରେ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ସେଲସିୟସ ରହୁଛି। ଜିଲାପାଳ ମଧୁସୂଦନ ଦାଶଙ୍କ ଆଦେଶ ଅନୁଯାୟୀ, ସମସ୍ତ ସରକାରୀ, ବେସରକାରୀ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଓ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଏପ୍ରିଲ ୨୦ରୁ ୨୨ ପର୍ଯ୍ୟନ୍ତ ବନ୍ଦ ରହିବ। ହେଲେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟରୀ ପରୀକ୍ଷା ନିର୍ଦ୍ଧାରିତ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନଙ୍କ ପାଇଁ ଫଳରସ ଓ ଓଆର୍ଏସ୍ ବ୍ୟବସ୍ଥା କରାଯିବା ସହିତ ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଜନଗଣନା ସମ୍ବନ୍ଧୀୟ କାର୍ଯ୍ୟ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଜାରି ରହିବ। ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶକୁ କଡାକଡି ଭାବରେ ପାଳନ କରିବାକୁ କୁହାଯାଇଛି।