ବସ୍ତାନି ବୋଝ କମିଲା

ହରିହର ତ୍ରିପାଠୀ

ବହୁବର୍ଷ ତଳେ ପ୍ରସିଦ୍ଧ ବ୍ୟଙ୍ଗଚିତ୍ରକାର ଆର.କେ. ଲକ୍ଷ୍ମଣଙ୍କର ଏକ ଚିତ୍ର ଚର୍ଚ୍ଚାର ପରିସରକୁ ଆସିଥିଲା। ଚିତ୍ରଟିରେ ଜଣେ ମା’ ନିଜର ପିଲାର ବସ୍ତାନି ବୋହିବା ଲାଗି ଆଉଜଣେ ଗରିବ ପିଲାକୁ ନିଯୁକ୍ତ କରିଥିବାର ଦେଖାଯାଇଥିଲା। ସବୁ ପିଲାଙ୍କ ଲାଗି ସମାନ ଶିକ୍ଷା ସହିତ ପିଲାମାନଙ୍କ କାନ୍ଧରୁ ବସ୍ତାନିବୋଝ ହଟାଇବା ଲାଗି ହେଉଥିବା ପ୍ରୟାସ ପରିପ୍ରେକ୍ଷୀରେ ଉକ୍ତ ବ୍ୟଙ୍ଗଚିତ୍ରଟି ଖୁବ୍‌ ଚମତ୍କାର ବାର୍ତ୍ତା ଦେଉଥିଲା। ନିକଟରେ ରାଜ୍ୟ ସରକାର ବସ୍ତାନି ବୋଝ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ସ୍କୁଲ ବ୍ୟାଗ୍‌ ନୀତି-୨୦୨୦କୁ ରାଜ୍ୟରେ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୀତି ଅନୁଯାୟୀ ସ୍କୁଲ ବ୍ୟାଗର ଓଜନ ପିଲାଙ୍କ ଓଜନର ୧୦%ରୁ କମ୍‌ ରହିବ। ଅର୍ଥାତ୍‌ ଯଦି ଜଣେ ପିଲାର ଓଜନ ୩୦ କେଜି ହୋଇଥାଏ ତେବେ ସେ ଅତିବେଶିରେ ୩ କେଜିର ବ୍ୟାଗ୍‌ ଆଣି ବିଦ୍ୟାଳୟକୁ ଆସିବ। କାନ୍ଧରେ ଏହାଠାରୁ ଅଧିକ ଓଜନର ବ୍ୟାଗ୍‌ ପକାଇ ଛାତ୍ରୀଛାତ୍ର ସ୍କୁଲ ଆସିବେ ନାହିଁ। ଯଦି କୌଣସି ଛାତ୍ରୀଛାତ୍ର ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍‌ ଆଣି ବିଦ୍ୟାଳୟକୁ ଆସିଥିବେ ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଜଣାଇବେ। ପ୍ରତି ୩ ମାସରେ ଥରେ ଗୋଟିଏ ଦିନ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ଯାଞ୍ଚ କରାଯିବ। ଏହି ନୀତିକୁ ରାଜ୍ୟରେ ୨୦୨୧-୨୨ ଶିକ୍ଷାବର୍ଷରୁ ପାଳନ କରିବା ଲାଗି ଗଣଶିକ୍ଷା ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୀତିରେ ଅଛି, କେଉଁ ଶ୍ରେଣୀର କେତେ ଓଜନର ପିଲା କେତେ ଓଜନର ବ୍ୟାଗ୍‌ ଧରି ଆସିବେ ସେନେଇ ପ୍ରତି ବିଦ୍ୟାଳୟ ଏକ ଟେବୁଲ୍‌ ପ୍ରସ୍ତୁତ କରିବେ। ନିୟମିତ ବ୍ୟବଧାନରେ ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ କରାଯିବ। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତି ୩ ମାସରେ ଗୋଟିଏ ଦିନ ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌ ଓଜନ ମାପିବେ। ଯଦି କୌଣସି ଛାତ୍ରୀଛାତ୍ର ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍‌ ଆଣୁଥିବେ ତେବେ ଏସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଅବଗତ କରାଇବେ ଏବଂ ହାଲୁକା ବ୍ୟାଗ୍‌ ଆଣିବାକୁ ପରାମର୍ଶ ଦେବେ।
କହିବା ଅନାବଶ୍ୟକ ବିଦ୍ୟାଳୟର ବସ୍ତାନି ବା ସ୍କୁଲବ୍ୟାଗ ବର୍ତ୍ତମାନ ପିଲାମାନଙ୍କ ନିମନ୍ତେ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଅଭିଭାବକମାନେ ଅନୁଭବ କରିପାରିଥିବେ ଆମର କୁନିକୁନି ପିଲାମାନଙ୍କ କଷ୍ଟକୁ। ନିଜ ଓଜନର ଅଧା ବସ୍ତାନି ବୋହି ବୋହି ସେମାନେ ବଙ୍କା ହୋଇଯାଉଥିବାର ଦୃଶ୍ୟ ଦେଖି ଆମେ କ’ଣ କହିପାରିବା ? ଏମିତି ଏକ ଶିକ୍ଷା ବ୍ୟବସ୍ଥା ଦେଇ ଆମେ ପିଲାମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେଇପାରିବା ? ଏବେ ଶିକ୍ଷା ଆଉ ଆନନ୍ଦଦାୟକ ହୋଇ ରହିନାହିଁ। ବ୍ୟବସାୟରେ ପରିଣତ ହୋଇଥିବା ଶିକ୍ଷା ଆମର କୁନି କୁନି ପିଲାମାନଙ୍କୁ ବିଦ୍ୟାର୍ଥୀ ନ କରି କୁନି ଶ୍ରମିକ ସଜାଇଛି। ନିକଟ ଅତୀତରେ ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ଦେଶର ୮୩.୭ ପ୍ରତିଶତ ସ୍କୁଲ ଛାତ୍ରୀଛାତ୍ର ସେମାନଙ୍କ ଶରୀର ଓଜନଠାରୁ ୧୦ଗୁଣ ଅଧିକ ଓଜନର ସ୍କୁଲବ୍ୟାଗ ବୋହୁଛନ୍ତି। ଏହି କାରଣରୁ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପିଠି ଓ ମେରୁଦଣ୍ଡରେ ଯନ୍ତ୍ରଣା ଭୋଗ କରୁଛନ୍ତି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ସଚେତନ ହୋଇ ବସ୍ତାନି ବୋଝ କମ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।
ଶିକ୍ଷାର ବ୍ୟବସାୟୀକରଣ ବସ୍ତାନିର ଓଜନ ବଢ଼ାଇଛି। ଯେଉଁସ୍କୁଲର ଯେତେ ବହି ସେ ସ୍କୁଲ ସେତେ ଭଲ ମାନସିକତା ଆମର ଅଭିଭାବକମାନଙ୍କ ମଧ୍ୟରେ ବଳବତ୍ତର ରହିଛି। ଫଳରେ ପିଲାମାନେ ପାଠପଢ଼ା ବ୍ୟତୀତ ପାଠବାହାରର ବହି, ଖାତା, ନୋଟ୍‌ବୁକ୍‌ରେ ବ୍ୟାଗ୍‌ ଭର୍ତ୍ତିକରିସାରିବା ପରେ ତାକୁ ଉଠାଇବାକୁ ସକ୍ଷମ ହୋଇପାରୁନାହାନ୍ତି। ଯେଉଁ ବୟସରେ ପିଲାମାନଙ୍କ ମେରୁଦଣ୍ଡର ସର୍ବାଧିକ ବିକାଶ ହୋଇଥାଏ ସେହି ବୟସରେ କୁନିକୁନି ମେରୁଦଣ୍ଡ ଉପରେ ପଡୁଥିବା ବୋଝ ପିଲାମାନଙ୍କ ସ୍ବାସ୍ଥ୍ୟରେ ନାନାଦି ସମସ୍ୟା ସୃଷ୍ଟି କରୁଛି। ଅଧିକ ଓଜନର ବସ୍ତାନି ଯୋଗୁ ପିଲାମାନେ ପିଠି ଯନ୍ତ୍ରଣା, କାନ୍ଧ ଯନ୍ତ୍ରଣା ଓ କ୍ଲାନ୍ତି ଅନୁଭବ କରୁଥିବା ବେଳେ ଏଥିକୁ ଉପାୟ ନାହିଁ କହିଲେ ଚଳେ। କାରଣ ସ୍କୁଲ କର୍ତ୍ତୃପକ୍ଷଙ୍କ ଫର୍‌ମାସ ପୂରଣ ଲାଗି ବସ୍ତାନିଭର୍ତ୍ତି ବହି ବୋହି ପିଲାମାନେ ସ୍କୁଲ ଯିବାକୁ ବାଧ୍ୟ। ସେହିପରି ଏବେ ଦେଖାଯାଉଛି ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାମାନଙ୍କୁ ବିଭିନ୍ନ ପ୍ରକଳ୍ପରେ ବାନ୍ଧି ରଖିବା ଏକ ଫେଶନରେ ପରିଣତ ହୋଇଛି। ପିଲାମାନଙ୍କ ସମୟ ଯେତେ ପାଠପଢ଼ାରେ କଟୁନି ତତୋଧିକ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତିରେ କଟୁଛି। ପ୍ରକଳ୍ପ ଭଲା ସେମାନେ ନିଜେ କରନ୍ତେ! ସେମାନେ ପ୍ରକଳ୍ପ ଲାଗି ବିଭିନ୍ନ କମ୍ପ୍ୟୁଟର ପ୍ରିଣ୍ଟିଂ ସେଣ୍ଟର, ପ୍ରକଳ୍ପ ପ୍ରସ୍ତୁତି କେନ୍ଦ୍ର (ଏହା ଏକ ନୂଆ ବ୍ୟବସାୟ!) ସାମ୍ନାରେ ଘଣ୍ଟା ଘଣ୍ଟା ଛିଡ଼ା ହେବାର ଦେଖାଯାଉଛି। ଏହାଦ୍ୱାରା ପିଲାମାନଙ୍କର ଅଯଥା ସମୟ ନଷ୍ଟ ହେଉଥିବାର ଦେଖାଯାଉଛି।
ନବେ ଦଶକ ଆରମ୍ଭରେ ମାନବ ସମ୍ବଳ ବିକାଶ ବିଭାଗ ଦ୍ୱାରା ନିଯୁକ୍ତ କରାଯାଇଥିବା ଏକ କମିଟି ଏହି ସମସ୍ୟାର ବିଶ୍ଳେଷଣ କରିଥିଲା। ସେମାନେ ଏହି ବିଶ୍ଳେଷଣରୁ ଏକ ସିଦ୍ଧାନ୍ତରେ ପହଞ୍ଚତ୍ଥିଲେ ଯେ ଏହି ସମସ୍ୟାର ମୂଳ ହେଉଛି ସୂଚନାକୁ ଜ୍ଞାନ ବୋଲି ବିବେଚନା କରିବା। ଏହାର ରିପୋର୍ଟ ଲର୍ନିଂ ଉଇଦାଉଟ ବର୍ଡନରେ କମିଟି ସୂଚିତ କରିଥିଲା ଯେ ‘ପିଲାମାନେ ହେଉଛନ୍ତି କେବଳ ଜ୍ଞାନର ଗ୍ରହୀତା ଏବଂ ପଢ଼ାବହି ହେଉଛି ପରୀକ୍ଷାର ଆଧାର’ ବୋଲି। ଯେ ପର୍ଯ୍ୟନ୍ତ ଆମେ ପିଲାମାନଙ୍କ ସମ୍ବନ୍ଧରେ ଥିବା ଆମର ଧାରଣାକୁ ନ ବଦଳାଇବା ବିଦ୍ୟାଳୟରେ ଶିକ୍ଷା ସେପର୍ଯ୍ୟନ୍ତ ପିଲାମାନଙ୍କ ଲାଗି ଏକ ଆନନ୍ଦଦାୟକ ଅନୁଭବ ହୋଇପାରିବ ନାହିଁ। ପିଲାମାନେ ସେମାନଙ୍କ ଅନୁଭୂତିରୁ କିଛି ଶିଖିବେ ଓ ଜ୍ଞାନ ଅର୍ଜନ କରିବେ, ସେମାନଙ୍କ ଏହି ସାମର୍ଥ୍ୟ ଉପରେ ଆମର ଭରସା ନାହିଁ। ପଢ଼ାବହିର ଆକାର ପ୍ରତିବର୍ଷ ବଢ଼ି ଚାଲିଛି।
ବହିରେ ନୂଆ ନୂଆ ବିଷୟକୁ ଯୋଡ଼ିବା ଲାଗି ଚାପ ପଡୁଛି, ମାତ୍ର ଜ୍ଞାନକୁ ବିଶ୍ଳେଷଣ କରି ଏହାକୁ ସମଗ୍ରଭାବେ ଗ୍ରହଣ କରିବାର ଚେଷ୍ଟା ଦିନକୁ ଦିନ କମିବାରେ ଲାଗିଛି। ମୋଟା ମୋଟା ପାଠ୍ୟ ପୁସ୍ତକ ଓ ଏଥିରେ ଥିବା ପାଠ ହେଉଛି ପିଲାମାନଙ୍କୁ ସେମାନଙ୍କ ତରିକାରେ ଶିକ୍ଷାଦେବା ଲାଗି ହେଉଥିବା ବ୍ୟବସ୍ଥାର ବିଫଳତାର ପ୍ରତୀକ। ତେବେ ସରକାରଙ୍କର ଏହି ନୂତନ ପଦକ୍ଷେପ ନିଶ୍ଚିତଭାବେ ଶିକ୍ଷାକୁ ଆନନ୍ଦଦାୟକ କରିବାରେ ଏକ ପ୍ରୟାସ ହେବ ଏକଥା କୁହାଯାଇପାରେ। ତେବେ କରୋନା କଟକଣାରୁ ମୁକ୍ତ ହୋଇ ସ୍ବୁଲ ଖୋଲିଲା ପରେ ଏହା କେତେ ସଫଳ ହେବ ତାହା ଜଣାପଡିବ। ନିଷ୍ପତ୍ତି ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ର କ୍ଲାସୱାର୍କ ଲାଗି କେବଳ ଗୋଟିଏ ନୋଟବୁକ୍‌ ବ୍ୟବହାର କରିବେ। ସେମାନଙ୍କୁ ହୋମ୍‌ୱାର୍କ ଦିଆଯିବ ନାହିଁ। ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ଦୁଇଟି ନୋଟ୍‌ବୁକ୍‌ ଦରକାର। ସେଥିମଧ୍ୟରୁ ଗୋଟିଏ ବ୍ୟାଗ୍‌ରେ ଆଣିବେ ଓ ଅନ୍ୟଟି ସ୍କୁଲରେ ରହିବ। ଏହି ଶ୍ରେଣୀର ପିଲାମାନଙ୍କୁ ସପ୍ତାହକୁ ୨ଘଣ୍ଟା ହୋମ୍‌ୱାର୍କ ଦିଆଯିବ। ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରୀଛାତ୍ର ଖୋଲା କାଗଜର ଗୋଟିଏ ଫାଇଲ୍‌କୁ କ୍ଲାସୱାର୍କ ଓ ହୋମ୍‌ୱାର୍କ ଲାଗି ବ୍ୟବହାର କରିବେ। ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ପ୍ରତି ସପ୍ତାହକୁ ୫ରୁ ୬ଘଣ୍ଟା ଲେଖାଏ ହୋମୱାର୍କ ଦିଆଯିବ। ଟେକ୍ସଟ୍‌ ବୁକ୍‌ ଶେୟାରିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଛି। ଫଳରେ ପାଖରେ ପାଖରେ ବସୁଥିବା ଛାତ୍ରୀଛାତ୍ର ପରସ୍ପର ମଧ୍ୟରେ ପାଠ୍ୟପୁସ୍ତକ ଅଦଳବଦଳ କରିପାରିବେ। ଏହା ବସ୍ତାନି ବୋଝ ହାଲୁକା କରିବାରେ ସହାୟକ ହେବ। ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଲାଗି ପ୍ରତିଦିନ ଦୁଇ ଘଣ୍ଟାର ହୋମୱାର୍କ ରହିବ। ସେହିଭଳି ଛାତ୍ରୀଛାତ୍ର ସ୍କୁଲକୁ ଟ୍ରଲି ବ୍ୟାଗ ଆଣି ଆସିବା ଉପରେ ରୋକ୍‌ ଲଗାଯାଇଛି। କାରଣ ଚକ ଲାଗିଥିବା ବ୍ୟାଗ ନେଇ ଶିଡ଼ିରେ ଉଠିବା ବେଳେ ପିଲା ଆହତ ହେବାର ଭୟ ରହିଛି। ସେହିଭଳି ବହିର ଓଜନ ପ୍ରତିବର୍ଗ ମିଟର ପ୍ରତି କେତେ ହୋଇଛି ସେନେଇ ପ୍ରକାଶକ ସଂସ୍ଥା ବହି ଉପରେ ଛାପିବେ।
ସୂଚନା ଓ ପ୍ରଯୁକ୍ତିର ଏହି ଯୁଗରେ ବର୍ତ୍ତମାନ ପିଲାମାନଙ୍କ ନିକଟରେ ସୂଚନାପ୍ରାପ୍ତିର ସବୁ ମାଧ୍ୟମ ଉପଲବ୍ଧ। ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ସଦୁପଯୋଗ ନ କରି ନିଜର ଲାଭ ଉଦ୍ଦେଶ୍ୟରେ ପିଲାମାନଙ୍କ ବ୍ୟାଗ ଭରିଥାନ୍ତି। ସିଲାବସ୍‌ର ବୋଝ ବାପାମାଆ କିମ୍ବା ଟ୍ୟୁଶନ୍‌ କ୍ଲାସ୍‌କୁ ହସ୍ତାନ୍ତରିତ ହୋଇଯାଉଛି। ପିଲାମାନେ ପାଠର ବୋଝରେ ନିଜ ନିଜର ଶୈଶବକୁ ଭୁଲିଯିବାକୁ ବାଧ୍ୟ ହେଉଛନ୍ତି। ବ୍ୟାଗ୍‌ର ବୋଝ, ପାଠର ବୋଝ ଆଉ ସାଥିରେ ବାପାମାଆଙ୍କ ଉଚ୍ଚାକାଂକ୍ଷାର ବୋଝ। କାହାକୁ ସଫଳ କରିବ ବିଚରା???
ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା
ମୋ: ୯୬୬୮୫୫୦୧୮୦


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri