ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ବାତ୍ୟା ପରବର୍ତ୍ତୀ ବନ୍ୟା ଗଞ୍ଜାମ ଜିଲାର ଅନେକ ପରିବାରର ଜୀବନକୁ ଦୁର୍ବିସହ କରିଦେଇଛି । ବିପର୍ଯ୍ୟୟରେ ଅନେକ ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ, ଖାତା, କଲମ ଓ ସ୍କୁଲ ବ୍ୟାଗ୍ ଭାସିଯାଇଥିବାରୁ ସେମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ଏଭଳି ସମୟରେ ମାନବିକତାର ପରିଚୟ ଦେଇଛନ୍ତି ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ଏସ୍ଏସ୍ କୋ ୟୁନିଟ୍ ସ୍ୱେଚ୍ଛାସେବୀ।
ରବିବାର ଦୀପାବଳିକୁ ନିଆରା ଢଙ୍ଗରେ ପାଳନ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କ କର୍ମଚାରୀ, ଯୁବ ସ୍ୱେଚ୍ଛାସେବୀ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଏନ୍ଏସ୍ଏସ୍ କୋ-ୟୁନିଟ୍ ପକ୍ଷରୁ ବେଲଗୁଣ୍ଠା ବ୍ଲକର ସର୍ବାଧିକ ବନ୍ୟା କ୍ଷତିଗ୍ରସ୍ତ ଇଙ୍ଗିନାଠି ଗ୍ରାମରେ ଏକ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଆସନ୍ତାକାଲି ବିଦ୍ୟାଳୟ ଖୋଲିବାକୁ ଥିବାବେଳେ ବନ୍ୟା ପରେ ବିଦ୍ୟାଳୟଗୁଡ଼ିକ ଅପରିଷ୍କାର ହୋଇପଡ଼ିଥିଲା। ତେଣୁ ଗ୍ରାମର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନେ ସଫେଇ କାର୍ଯ୍ୟରେ ଲାଗିଥିବାବେଳେ ବ୍ୟାଙ୍କ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଫଳରେ ବିଦ୍ୟାଳୟଗୁଡ଼ିକ ପୁନର୍ବାର ଖୋଲିବା ପାଇଁ ପ୍ରସ୍ତୁତ ହୋଇପାରିଥିଲା।
ଅନ୍ୟପକ୍ଷରେ ବନ୍ୟାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଶତାଧିକ ଛାତ୍ରୀଛାତ୍ରଙ୍କ ପାଠ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜାଣିବା ପରେ ସେମାନଙ୍କୁ ଖାତା, କଲମ, ପେନ୍ସିଲ୍, କଟର, ରବର ସହ ବିସ୍କୁଟ ଓ ଚକୋଲେଟ୍ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ୪ଟି ଲେଖାଏ ଖାତା ଓ ୫ଟି ଲେଖାଏ କଲମ ସମେତ ଅନ୍ୟାନ୍ୟ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ଏହି ସହାୟତା ପାଇଁ ଗ୍ରାମବାସୀ, ଅଭିଭାବକ ଓ ଶିକ୍ଷକମାନେ ବ୍ୟାଙ୍କ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କୁ ସାଧୁବାଦ ଜଣାଇଥିଲେ।
ବିଦ୍ୟାଳୟର ସଭାପତି ସୂର୍ଯ୍ୟ ନାୟକଙ୍କ ଠାରୁ ଛାତ୍ରୀଛାତ୍ରଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ବ୍ୟାଙ୍କ କର୍ମଚାରୀମାନେ ଆଗକୁ ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବା ସହ ଗ୍ରାମରେ ଅନ୍ୟାନ୍ୟ ସମାଜସେବା କାର୍ଯ୍ୟ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘର କର୍ମକର୍ତ୍ତା ବିଶ୍ୱଜିତ୍ ମହାରଣାଙ୍କ ନେତୃତ୍ୱରେ ବ୍ୟାଙ୍କ କର୍ମଚାରୀ ଓ ଯୁବ ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ। ସେହିପରି କଲେଜ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତଙ୍କ ନିର୍ଦ୍ଦେଶରେ ଏନ୍ଏସ୍ଏସ୍ କୋ-ୟୁନିଟ୍ ଅଧିକାରୀ ବାବୁଲା ପ୍ରଧାନଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀମାନେ ଏହି ସେବା କାର୍ଯ୍ୟରେ ଯୋଗଦେଇଥିଲେ।
ଏହାପରେ ଅପରାହ୍ନରେ ଏନ୍ଏସ୍ଏସ୍ କୋ-ୟୁନିଟ୍ର ସ୍ୱେଚ୍ଛାସେବୀମାନେ ବଡ଼କୋଦଣ୍ଡା ନିକଟସ୍ଥ ଚିଦାନନ୍ଦ ସରସ୍ୱତୀ କୁଷ୍ଠାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ, ଶିକ୍ଷୟିତ୍ରୀ ଦୀପ୍ତାଂଶୁ ପ୍ରଭା ଦେବୀ, ରଶ୍ମିତା ରାଉତ ଏବଂ ଶିକ୍ଷକ ସମୀର ସାହୁ ସହଯୋଗ କରିଥିଲେ।