ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ ଥିଲେ, ତେବେ ଆପଣଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି। ସେପ୍ଟେମ୍ୱର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକର ୩ ଦିନିଆ ପ୍ରସ୍ତାବିତ ଧର୍ମଘଟ (Nationwide Bank Strike)କୁ ଦୃଷ୍ଟିରେ ରଖି ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI (ଭାରତୀୟ ଷ୍ଟେଟ ବ୍ୟାଙ୍କ) ଏକ ବଡ଼ ଘୋଷଣା କରିଛି।

ବ୍ୟାଙ୍କ ନିଷ୍ପତ୍ତି ନେଇଛି ଯେ, ସେପ୍ଟେମ୍ୱର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଯେକୌଣସି ବ୍ୟାଙ୍କର ଏଟିଏମ (ATM)ରୁ ଟଙ୍କା ଉଠାଇବା ଉପରେ ଗ୍ରାହକଙ୍କଠାରୁ କୌଣସି ଶୁଳ୍କ (Charge) ନିଆଯିବ ନାହିଁ।

ସାଧାରଣତଃ ଯେତେବେଳେ ଆପଣ ନିଜ ବ୍ୟାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମ (ଯେପରିକି HDFC, ICICI କିମ୍ୱା PNB)ରୁ ଏକ ର୍ନିଦ୍ଦିଷ୍ଟ ସୀମା ପରେ ଟଙ୍କା ଉଠାନ୍ତି, ସେତେବେଳେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ବା ଏଟିଏମ ଫି ଦେବାକୁ ପଡ଼ିଥାଏ।

କିନ୍ତୁ ସେପ୍ଟେମ୍ୱର ୨୮, ୨୯ ଏବଂ ୩୦ ତାରିଖରେ ଧର୍ମଘଟ ଯୋଗୁଁ SBI ଗ୍ରାହକମାନେ ଦେଶର ଯେକୌଣସି ବ୍ୟାଙ୍କର ଏଟିଏମ (Non-SBI ATMs)ରୁ ଯେତେ ଥର ଚାହିଁବେ ମାଗଣାରେ ଟଙ୍କା ଉଠାଇପାରିବେ। ଏହି ସମୟ ମଧ୍ୟରେ ଆପଣଙ୍କଠାରୁ କୌଣସି ଅତିରିକ୍ତ ଟ୍ରାଞ୍ଜାକସନ ଚାର୍ଜ ଆଦାୟ କରାଯିବ ନାହିଁ।

SBI ସ୍ପଷ୍ଟ କରିଛି ଯେ, ବ୍ୟାଙ୍କ ଶାଖାଗୁଡ଼ିକରେ ତାଲା ଝୁଲୁଥିଲେ ମଧ୍ୟ ଆପଣଙ୍କ ପକେଟରେ ଥିବା ଡିଜିଟାଲ ବ୍ୟାଙ୍କିଂ ସମ୍ପୂର୍ଣ୍ଣ ଗତିରେ ଚାଲିବ। Google Pay, PhonePe, Paytm କିମ୍ୱା YONO ମାଧ୍ୟମରେ କୌଣସି ବାଧାବିଘ୍ନ ବିନା ଆର୍ଥିକ କାରବାର ହୋଇପାରିବ। ସେହିପରି ଇଣ୍ଟରନେଟ ବ୍ୟାଙ୍କିଂ ଏବଂ ମୋବାଇଲ ଆପ ଜରିଆରେ ବିଲ ପେମେଣ୍ଟ, ଫଣ୍ଡ ଟ୍ରାନ୍ସଫର ସବୁକିଛି ପୂର୍ୱଭଳି ଚାଲୁ ରହିବ। ଛୋଟମୋଟ କାମ ହୱାଟ୍ସଆପ (WhatsApp) ବ୍ୟାଙ୍କିଂ ମାଧ୍ୟମରେ ମଧ୍ୟ ସହଜରେ କରାଯାଇପାରିବ।

ଯଦି ଆପଣଙ୍କୁ ବ୍ୟାଙ୍କ ଶାଖାକୁ ଯାଇ କୌଣସି କାଗଜପତ୍ର କାମ କିମ୍ୱା ବଡ଼ ନଗଦ କାରବାର କରିବାର ଅଛି, ତେବେ ମନେ ରଖନ୍ତୁ ଯେ ୨୭ ସେପ୍ଟେମ୍ୱର ରବିବାର ଦିନ SBI ସମେତ ସମସ୍ତ ସରକାରୀ ବ୍ୟାଙ୍କ ଖୋଲା ରହିବ। ୩ ଦିନିଆ ଧର୍ମଘଟ ପୂର୍ୱରୁ ଗ୍ରାହକଙ୍କ ସୁବିଧା ପାଇଁ ସରକାର ଏବଂ RBI ରବିବାର ଦିନ ମଧ୍ୟ ବ୍ୟାଙ୍କଗୁଡ଼ିକୁ ସୱାଭାବିକ ଭାବେ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଶାଖା ସମ୍ୱନ୍ଧୀୟ କୌଣସି ଜରୁରୀ କାମ ଅଟକି ରହିଛି, ତେବେ ଆସନ୍ତାକାଲି ରବିବାର (୨୭ ସେପ୍ଟେମ୍ୱର) ହିଁ ସାରି ନିଅନ୍ତୁ। ବାକି ଦୈନନ୍ଦିନ ଖର୍ଚ୍ଚ ପାଇଁ ଆପଣ ନିକଟସ୍ଥ ଯେକୌଣସି ଏଟିଏମରୁ କୌଣସି ଚାର୍ଜର ଚିନ୍ତା ନକରି ସହଜରେ ଟଙ୍କା ଉଠାଇପାରିବେ।

Share