Categories: ଗଞ୍ଜାମ

ଦୁର୍ଦ୍ଦଶାରେ ସାବିତ୍ରୀଙ୍କ ଜୀବନ

ବଲସକୁମ୍ପା,୨୮।୩: ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଞ୍ଚାୟତ ଅଧୀନ ନବଗୁବା ଗ୍ରାମରେ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ସାଗର ବେହେରାଙ୍କ ପରିବାର। ପରିବାର କହିଲେ ସ୍ବାମୀ, ସ୍ତ୍ରୀ ସହ ଦୁଇ ପୁଅ ଏବଂ ଗୋଟିଏ ଝିଅ। ପ୍ରତିଦିନ ଚାଷବାସ କରିବା ସହିତ ଦିନମଜୁରିଆ ଭାବେ କାମ କରି ପରିବାର ଚଳାଉଥିଲେ। କିନ୍ତୁ ଭାଗ୍ୟ ଭଗାରି ସାଜିଲା। ପ୍ରାୟ ୭ ବର୍ଷ ତଳେ ସ୍ତ୍ରୀ ସାବିତ୍ରୀ ବେହେରା (୫୩) ଜଙ୍ଗଲରୁ ଜାଳକାଠ ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ହଠାତ୍‌ ଗୋଡ଼ ଖସି ପଡ଼ିଯାଇ ଅଚେତ ହୋଇଥିଲେ। ସ୍ବାମୀ ସାଗର ସାବିତ୍ରୀଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ସାବିତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଗୋଡ଼ ହାତ ନ ଚାଲିବା ଯୋଗୁ ସାବିତ୍ରୀଙ୍କୁ କଟକ ବଡ଼ ମେଡିକାଲ ନେବାକୁ ଡାକ୍ତର ରେଫର୍‌ କଲେ। କିଛିଦିନ କଟକ ମେଡିକାଲରେ ଚିକିତ୍ସିତ ହେବା ପରେ ମଧ୍ୟ ରୋଗୀଙ୍କ ଅବସ୍ଥାରେ ସେଭଳି କିଛି ସୁଧାର ନ ଆସିବାରୁ ଘରକୁ ଫେରି ଆସିଲେ। ଏବେ ଘରେ ଚଲାବୁଲା କରି ନ ପାରି ଶେଯରେ ପଡ଼ି ରହୁଛନ୍ତି। ହେଲେ ଅର୍ଥାଭାବ ଯୋଗୁ ସ୍ତ୍ରୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାରେ ଅସମର୍ଥ ହେଲି ବୋଲି ସ୍ବାମୀ ସାଗର କହିଛନ୍ତି। ଯାହା ରୋଜଗାର ହେଉଛି ସେଥିରେ ଚାରି ପ୍ରାଣୀ କୁଟୁମ୍ବଙ୍କ ପ୍ରତିପୋଷଣ ହେଉଛି। ଯାହାଦ୍ୱାରା ଉତ୍ତମ ଚିକିତ୍ସା କରାଯାଇ ପାରିନାହିଁ। ତେଣୁ ସାବିତ୍ରୀଙ୍କୁ ଭିନ୍ନକ୍ଷମ ଭତ୍ତା ସହ ଚିକିତ୍ସା ପାଇଁ କିଛି ଆର୍ଥିକ ସରକାରୀ ସହାୟତା ଯୋଗାଇବାକୁ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ତେଣୁ ଜିଲାପାଳ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।