‘ଆଗ ଓବିସିଙ୍କୁ ସଂରକ୍ଷଣ ଦିଅ, ପରେ ନିର୍ବାଚନ’

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମେ ପଛୁଆବର୍ଗ ତଥା ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଉ। ତା’ପରେ ନିର୍ବାଚନ ପ୍ରକ୍ରିୟା ଆଗକୁ ନେବାକୁ ଭାଜପା ବିଧାୟକମାନେ ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟପାଳ ଓ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭାଜପା ବିଧାୟକମାନେ ଭେଟିଛନ୍ତି।
ରାଜ୍ୟପାଳଙ୍କୁ ଭେଟିବା ପରେ ଲଳିତେନ୍ଦୁ କହିଛନ୍ତି, ରାଜ୍ୟର ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ଓବିସି ବର୍ଗ । ମାତ୍ର ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନରେ ସେମାନଙ୍କୁ ସଂରକ୍ଷଣ ଦେଲେନାହିଁ। ଏବେ ପଞ୍ଚାୟତ ନିର୍ବାଚନ ଆଗେଇ ନେଉଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ କରିବା ପରେ ନିର୍ବାଚନ ପ୍ରକ୍ରିୟା ଆଗେଇବା ପାଇଁ ବିଧାୟକଙ୍କ ପକ୍ଷରୁ ରାଜ୍ୟପାଳଙ୍କ ପାଖରେ ଦାବି କରାଯାଇଛି ା ବିଶେଷ ଭାବେ ଏ ପ୍ରସଙ୍ଗରେ ହସ୍ତକ୍ଷେପକରି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ରାଜ୍ୟର ପଛୁଆବର୍ଗ ସମ୍ପ୍ରଦାୟଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି। ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସି ବର୍ଗ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ପାଇଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହି ସଂରକ୍ଷଣ ଦେବାରେ କେଉଁଠି ଅସୁବିଧା ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି, ଡିସେମ୍ବର ୨୭ରେ ଜିଲା ପରିଷଦର ଚିଠା ତାଲିକା ଏବଂ ଡିସେମ୍ବର ୨୯ରେ ପଞ୍ଚାୟତ ସମିତି ଓ ସରପଞ୍ଚ ପଦ ପାଇଁ ପଛୁଆବର୍ଗଙ୍କ ନିମନ୍ତେ ସଂରକ୍ଷଣ ନ ରଖି ଚିଠା ତାଲିକା ଜାରି କରାଯାଇଛି। ତେବେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ବିକାଶ ପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ କରିବା ପାଇଁ ଭାରତୀୟ ସମ୍ବିଧାନରେ ଉଲ୍ଲେଖ ରହିଥିବା ବେଳେ ରାଜ୍ୟ ସରକାର ଆଗାମୀ ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦେବାର ବ୍ୟବସ୍ଥା ନ କରିବା ଦୁଃଖର ବିଷୟ। ଏହି ବର୍ଗର ବିନା ସ୍ଥାନ ସଂରକ୍ଷଣରେ ନିର୍ବାଚନ ପ୍ରକ୍ରିୟାକୁ ଆଗେଇବା ସମ୍ବିଧାନର ମୂଳ ଲକ୍ଷ୍ୟର ବିପରୀତ ଦିଗକୁ ସୂଚାଉଛି। ଏହାଦ୍ୱାରା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଓବିସି ସମ୍ପ୍ରଦାୟଙ୍କୁ ନିର୍ବାଚିତ ହେବାର ସୁଯୋଗରୁ ବଞ୍ଚିତ କରାଯାଉଛି। ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ଦେବା ନେଇ ଗତ ୨୭ରେ ଏକ ରିଭ୍ୟୁ ପିଟିଶନ ଦାୟର କରାଯାଇଛି। ରାଜ୍ୟ ସରକାର ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନ କରି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆଗକୁ ନେବା ପରିତାପର ବିଷୟ। ଏପରି ନିର୍ବାଚନ ଆଗାମୀ ୫ ବର୍ଷ ପାଇଁ ଓବିସି ବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବ। ନିର୍ବାଚନ କମିଶନରଙ୍କୁ ଏହି ସମସ୍ତ ବିଷୟରେ ଭାଜପା ଅବଗତ କରାଇଥିବା ଲଳିତେନ୍ଦୁ କହିଛନ୍ତି।