ପୁରୀ,୧୬ା୫(ଅଜିତ୍ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର ଜୀବନରକ୍ଷା ପାଇଁ ମହାପ୍ରଭୁଙ୍କ ନିକଟରେ ଆକୁଳ ପ୍ରାର୍ଥନା କରିଥିବାର ଦୃଶ୍ୟ ଦେଖାଯାଇଛି। ବାପ-ମା’ ପିଲାଟିକୁ ଏକ କଦଳୀ ପତ୍ରରେ ଅରୁଣସ୍ତମ୍ଭ ନିକଟରେ ରଖି ପଣତପାତି ପିଲାର ଜୀବନ ବଞ୍ଚାଇଦେବା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି। ତେବେ କଥାରେ ଅଛି, ଯେଉଁଠି ଡାକ୍ତର, ବିଜ୍ଞାନ ହାର୍ ମାନିଛି ସେଠାରେ ଭଗବାନଙ୍କ ଲୀଳା ଦେଖିବାକୁ ମିଳିଛି। ତେଣୁ ବିଭିନ୍ନ ସମୟରେ ଅନେକ ଭକ୍ତ ସବୁଠି ନିରାଶ ହେବା ପରେ ମହାପ୍ରଭୁଙ୍କ ନିକଟରେ ଶରଣାପନ୍ନ ହୋଇଥାନ୍ତି। ମହାପ୍ରଭୁଙ୍କ ନିକଟରେ ଶରଣାପନ୍ନ ହୋଇଥିବା ଦମ୍ପତି ହେଉଛନ୍ତି କେନ୍ଦ୍ରାପଡ଼ା ଅଞ୍ଚଳର। ତାଙ୍କ ୬ ବର୍ଷର ପୁଅ ସୌମ୍ୟରଞ୍ଜନ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ପୁଅର ଜୀବନ ରକ୍ଷା ପାଇଁ କାଳିଆ ଦୁଆରେ ଆଖିରେ ଆଖିଏ ଲୁହ, ମନରେ କୋହ ନେଇ ଅଟଳ ବିଶ୍ୱାସର ସହ ପୁଅକୁ ସମର୍ପିତ କରିଦେଇଛନ୍ତି। ମହାପ୍ରଭୁ କାହାକୁ ତାଙ୍କ ଦୁଆରୁ ଖାଲିହାତରେ ଫେରାଇ ନ ଥିବାବେଳେ ତାଙ୍କୁ ମଧ୍ୟ ନିରାଶ କରିବେ ନାହିଁ ବୋଲି ଦମ୍ପତିଙ୍କ ବିଶ୍ୱାସ। ଅପରପକ୍ଷରେ ଜଣେ ସେବାୟତ ପତିତପାବନଙ୍କଠାରୁ ପାଦୁକ ଆଣି ପୁଅ ମଥାରେ ଲଗାଇ ପୁଅର ଆରୋଗ୍ୟ କାମନା କରୁଥିବା ଦେଖିବାକୁ ମିଳିଛି।