ପୁରୀ, ୧୪।୭: ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଟ୍ରାଫିକ୍ ନିର୍ଦ୍ଦେଶାବଳୀ ଭଲଭାବେ ଅନୁଧ୍ୟାନ କରିବାକୁ ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି। ସୋମବାର ଆୟୋଜିତ ଏକ ପ୍ରେସ୍ମିଟ୍ରେ ସେ ରଥଯାତ୍ରା ସମୟରେ ଟ୍ରାଫିକ୍ ପରିଚାଳନା ନେଇ ବିସ୍ତୃତ ସୂଚନା ଦେଇଥିଲେ।
ସେ କହିଛନ୍ତି ଯେ, ପୁରୀ ଆସିବା ପୂର୍ବରୁ ସମସ୍ତ ଶ୍ରଦ୍ଧାଳୁ ଟ୍ରାଫିକ୍ ନିର୍ଦ୍ଦେଶାବଳୀକୁ ଭଲଭାବେ ପଢ଼ି ଓ ବୁଝି ଯାତ୍ରା କରନ୍ତୁ। ବିଶେଷକରି ଭୁବନେଶ୍ୱର ପଟୁ ପୁରୀ ଆସୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ରୁଟ୍ ଓ ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ପୂର୍ବରୁ ଅବଗତ ହେବା ଆବଶ୍ୟକ।
ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଆଜି ସନ୍ଧ୍ୟାଠାରୁ ୬୫ଟି ସ୍ଥାନରେ ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଟ୍ରାଫିକ୍ ନିର୍ଦ୍ଦେଶାବଳୀ, ରୁଟ୍ ଡାଇଭର୍ସନ୍ ଓ ଯାତାୟାତ ସମ୍ପର୍କିତ ସୂଚନା ପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସୌମେନ୍ଦ୍ର ପ୍ରିୟଦର୍ଶୀ ଆହୁରି କହିଛନ୍ତି ଯେ, ବୀର ହରେକୃଷ୍ଣପୁର ରାସ୍ତାର ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି ଏବଂ ରଥଯାତ୍ରା ପୂର୍ବରୁ ଏହାକୁ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ କରାଯିବ। ସେହିପରି ମାଟିଆପଡ଼ା ରେଲୱେ ଓଭରବ୍ରିଜ୍ର ମରାମତି କାର୍ଯ୍ୟ ମଧ୍ୟ ସୁନାବେଶ ପୂର୍ବରୁ ସମାପ୍ତ ହେବ, ଯାହା ଫଳରେ ଶ୍ରଦ୍ଧାଳୁମାନଙ୍କ ଯାତାୟାତରେ କୌଣସି ଅସୁବିଧା ହେବ ନାହିଁ।
ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା କରାଯାଇଛି। ତେଣୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଟ୍ରାଫିକ୍ ନିୟମ ମାନି ପ୍ରଶାସନକୁ ସହଯୋଗ କରିବା ସହ ସୁରକ୍ଷିତ ଭାବେ ଯାତ୍ରା କରିବାକୁ ଅନୁରୋଧ କରାଯାଇଛି।