ସୌଭାଗ୍ୟଲକ୍ଷ୍ମୀ ‘ଶ୍ରେଷ୍ଠ ଓଡ଼ିଆଣୀ’

ଭୁବନେଶ୍ୱର,୨୮।୪(ବ୍ୟୁରୋ): ସମ୍ଭାବନା ପକ୍ଷରୁ ଗୁରୁବାର ସୂଚନା ଭବନଠାରେ ଶ୍ରେଷ୍ଠ ଓଡ଼ିଆଣୀ ଉତ୍ସବ ଏବଂ ଓଡ଼ିଆ ସ୍ବାଭିମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୧୨ଟି ପର୍ଯ୍ୟାୟରେ ପ୍ରତିଯୋଗିତା ପରେ ଚଳିତବର୍ଷର ‘ଶ୍ରେଷ୍ଠ ଓଡ଼ିଆଣୀ’ ହୋଇଛନ୍ତି ସୌଭାଗ୍ୟଲକ୍ଷ୍ମୀ ମହାନ୍ତି। ସେହିପରି ଜ୍ୟୋତ୍ସ୍ନାରାଣୀ ପାତ୍ର ‘ସହ ଶ୍ରେଷ୍ଠ ଓଡ଼ିଆଣୀ’ ହେବାର ଗୌରବ ଅର୍ଜନ କରିଛନ୍ତି। ରୁପା ତାରକସିର କୋଣାର୍କ ଚକ୍ର ଓ ଖଣ୍ଡୁଆ ଶାଢି ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପୂର୍ବତନ ଏମ୍‌ପି ସ୍ବର୍ଗତ ନରେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଗଠିତ ନରେନ୍ଦ୍ର ପ୍ରଧାନ ଫାଉଣ୍ଡେଶନ ପକ୍ଷରୁ ତାଙ୍କ ପୁତ୍ର ପିଙ୍କୀଶ୍‌ ପ୍ରଧାନଙ୍କ ଉପସ୍ଥିତିରେ ଶ୍ରେଷ୍ଠ ଓଡ଼ିଆଣୀଙ୍କୁ ୨୫ହଜାର ଟଙ୍କା ଓ ସହ ଶ୍ରେଷ୍ଠ ଓଡ଼ିଆଣୀଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ସାହତି୍ୟକ ଦାଶ ବେନହୁର, ଚାର୍ଟାର୍ଡ ଆକାଉଣ୍ଟଣ୍ଟ୍‌ ରାଜୀବ ଶେଖର ସାହୁ, ଦିନଲିପିର ସମ୍ପାଦିକା ଅନ୍ନପୂର୍ଣ୍ଣା ଦାଶ, କସ୍ତୁରିକା ପଟ୍ଟନାୟକ ଓ ୨୦୨୨ର ଶ୍ରେଷ୍ଠ ଓଡିଆଣୀ ବେବିରାଣୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ବାଭିମାନ ଦିବସ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ପରିଚାଳନା ଟ୍ରଷ୍ଟି ତଥା ସମ୍ପାଦକ ଦେବ ପ୍ରସାଦ ପରିଜା କହିଲେ, ଓଡ଼ିଶାର ଭୂଗୋଳକୁ ରାଜନୈତିକ ମାନଚିତ୍ରରେ ପରିଣତ କରି ପ୍ରଥମ ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ରୂପକାର ଓଡ଼ିଆ ଜାତିର ଅସ୍ମିତା ଓ ପରିଚୟର ପୁନଃସ୍ଥାପକ ହେଉଛନ୍ତି ମଧୁବାବୁ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ପ୍ରତିଯୋଗିତାରେ ପ୍ରଥମ ଶ୍ରେଷ୍ଠ ୧୦ ସ୍ଥାନ ଅଧିକାର କରିଥିବା ଓଡ଼ିଆଣୀ ଭାବେ ମାନସୀ ରାଉତରାୟ, ଜ୍ୟୋତ୍ସ୍ନାମୟୀ ସେନାପତି, ସୌଦାମିନୀ ମହାନ୍ତି, ବିଦ୍ୟାଶ୍ରୀ ଦାଶ, ମୋନାଲିସା ଓଝା, ସୁଜାତା ପାତ୍ର, ମଧୁସ୍ମିତା ପଟ୍ଟନାୟକ, ସୁଭଦ୍ରା କୁମାରୀ ସୁବୁଦ୍ଧି ପ୍ରମୁଖଙ୍କ ନାମ ଘୋଷଣା କରିଥିଲେ। ଝୋଟି, ପିଠା, ଶଙ୍ଖଫୁଙ୍କା, ଢଗ ଢମାଳି, ପାରମ୍ପରିକ ସଙ୍ଗୀତ, ପାନଭଙ୍ଗା, ପୁରାଣ ଆବୃତ୍ତି, ମୁରୁଜ, ହୁଳହୁଳି, ଓଡ଼ିଆ ଭାଷାଜ୍ଞାନ, ଦଳଗତ ଆଲୋଚନା ଏବଂ ଓଡ଼ିଆଣୀ ବେଶଭୂଷା ଆଦି ପ୍ରତିଯୋଗିତାରେ ପ୍ରଥମ ୩ ସ୍ଥାନରେ ଥିବା ୨୯ଜଣ କୃତୀ ଓଡ଼ିଆଣୀଙ୍କୁ ମଧ୍ୟ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟି ସ୍ମୃତିି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।