ସିକିମ୍‌ରେ ଫସି ରହିଛନ୍ତି ନୀଳଗିରିର ସତ୍ୟସୁନ୍ଦର

ନୀଳଗିରି,୭ା୧୦(ପ୍ରଶାନ୍ତ ବିଶ୍ୱାଳ): ସିକିମରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଫସି ରହିଛନ୍ତି ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଯୁବ ଇଞ୍ଜିନିୟର ସତ୍ୟସୁନ୍ଦର ବାରିକ। ତାଙ୍କ ସହ ବିଭିନ୍ନ ରାଜ୍ୟର ଆଉ ୭ଜଣ ଯୁବକ ଷ୍ଟାଫ୍‌ କ୍ୱାର୍ଟର୍ସରେ ଫସି ରହିଛନ୍ତି। ଚାରିଆଡେ ଖାଲି ପାଣି ଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଭୋକ ଉପାସରେ ରହିଥିବା ସତ୍ୟସୁନ୍ଦର ତାଙ୍କ ପରିବାର ଲୋକଙ୍କୁ ଜଣାଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସେ ଆକୁଳ ନିବେଦନ କରିଛନ୍ତି।
ନୀଳଗିରି ଏନଏସି ଅଧୀନ ୧୩ନଂ. ୱାର୍ଡ ଗୋପୀନାଥପୁର ଗ୍ରାମର ସତ୍ୟସୁନ୍ଦର ସିକିମ୍‌ ନାମଥଙ୍ଗ ଇଲାକାର ଝୁଲୁଙ୍ଗେ ବ୍ଲକର ଝୁଲୁଙ୍ଗେର ଏକ ପ୍ଲାଷ୍ଟୋ ଓର୍କ କମ୍ପାନୀରେ କାର୍ଯ୍ୟ କରନ୍ତି। ଉକ୍ତ କମ୍ପାନୀଠାରୁ ମାତ୍ର ୧୫୦ ମିଟର ଦୂରରେ ହୋଇଛି ଏହି ପ୍ରଳୟଙ୍କରୀ ବନ୍ୟା। ସେମାନେ ଷ୍ଟାଫ୍‌ କ୍ୱାର୍ଟର୍ସରେ ରହିଥିବା ବେଳେ ଜଳବନ୍ଦୀ ଯୋଗୁ ବାହାରକୁ ବାହାରିବା ସମ୍ଭବ ହେଉନାହିଁ। ଖାଦ୍ୟପଦାର୍ଥ ସରିଲାଣି। ଏନେଇ ପରିବାର ଲୋକେ ଚିନ୍ତାରେ ରହିଥିବା ବେଳେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି। ସତ୍ୟସୁନ୍ଦର ତୁରନ୍ତ ଉଦ୍ଧାର ଲାଗି ରାଜ୍ୟ ସରକାର ଓ ବାଲେଶ୍ୱର ଜିଲାପାଳଙ୍କଠାରେ ଗୁହାରୀ କରିଛନ୍ତି। ତାଙ୍କ ମାମୁ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରି ତାଙ୍କ ଭଣଜାଙ୍କ ସମେତ ଅନ୍ୟ ସହଯୋଗୀଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି। ତେବେ ଏମ୍‌ପି ଷଡ଼ଙ୍ଗୀ ଖୁବ୍‌ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବାର ପ୍ରତିଶ୍ରୁତି ଦେଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।