କୋଭିଡ୍‌ ଯୋଦ୍ଧାଙ୍କ ମୃତ୍ୟୁ ପରେ ପୁଅ ହେଲେ ସରପଞ୍ଚ

ଜୁନାଗଡ଼,୨୫।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରୀଗୁଡ଼ା ପଞ୍ଚାୟତ ଉପନିର୍ବାଚନର ଗୁରୁବାର ଫଳାଫଳ ଘୋଷଣା ହୋଇଛି। ଭଇଁରୀଗୁଡ଼ାର ନୂତନ ସରପଞ୍ଚ ଭାବେ ମୃତ କୋଭିଡ୍‌ ଯୋଦ୍ଧା ସରପଞ୍ଚ ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ପଞ୍ଚାନନ ପାତ୍ର ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଦେବରାଜ ବାଣୁଆଙ୍କୁ ୧ହଜାର ୧୮ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ପଞ୍ଚାନନ ୧୬୧୬ ଖଣ୍ଡ ଭୋଟ ପାଇଥିବା ବେଳେ ଦେବରାଜ ୫୯୮ ଖଣ୍ଡ ଭୋଟ ପାଇଛନ୍ତି। ୫୪ ଭୋଟ ନାକଚ ହୋଇଯାଇଛି। ଏହି ବିଜୟ ଭଇଁରୀଗୁଡ଼ା ପଞ୍ଚାୟତବାସୀଙ୍କ ବିଜୟ, ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବେ ବୋଲି ନୂତନ ସରପଞ୍ଚ ପଞ୍ଚାନନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଭୋଟ ଗଣିତି ବେଳେ ନିର୍ବାଚନ ଅଧିକାରୀ ଭାବେ ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡି, ମାଜିଷ୍ଟେଟ ଦାୟିତ୍ୱରେ ଜୁନାଗଡ ତହସିଲଦାର ବେଦବ୍ୟାସ ଭୋଇ, ଜିପିଓ ରାଜେନ୍ଦ୍ର ଭୋଇ, ଡବ୍ଲୁଇଓ ସୁମନ୍ତ କୁମାର ମାଝୀ, ବିଏସ୍‌ଏସ୍‌ଓ ତୁଷାର ରଞ୍ଜନ ସାହୁ ସମେତ ୧୧ ଜଣ ପ୍ରିଜାଡିଂ ଅଫିସର ଉପସ୍ଥିତ ରହି ଦାୟିତ୍ୱ ତୁଲାଇଥିଲେ। ଗଣତି ବେଳେ ଜୁନାଗଡ଼ ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପଞ୍ଚାନନ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ବିଜେଡି ପକ୍ଷରୁ ସମ୍ବର୍ଦ୍ଦିତ କରାଯାଇଥିଲା।