ସରୁନି ଆନିମଲ ଅଣ୍ଡରପାସ୍‌ କାମ

କେନ୍ଦୁଝର, ୩।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ପାଣିକୋଇଲିଠାରୁ ରିମୁଳି ପଯର୍‌ୟନ୍ତ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲଗୁଡିକରେ ଐତିହ୍ୟ ପ୍ରାଣୀ ହାତୀ ସାଙ୍ଗକୁ ଅନ୍ୟାନ୍ୟ ଜୀବଜନ୍ତୁ ବସବାସ କରୁଛନ୍ତି। ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ୨୦ ନଂ ଜାତୀୟ ରାଜପଥଟି ଯାଇଥିବାରୁ ଜୀବଜନ୍ତୁଙ୍କ ଅବାଧ ଚଳପ୍ରଚଳ ପାଇଁ ଅନେକ ସ୍ଥାନରେ ଅଣ୍ଡରପାସ ତିଆରି ହେବା ଯୋଜନା ରହିଥିଲା। କିନ୍ତୁ ରାସ୍ତା ନିର୍ମାଣ ସମୟରେ ଏହାକୁ ଉପେକ୍ଷା କରି ଅଣ୍ଡରପାସ ଗୁଡିକୁ ଖଣ୍ଡିଆ କରି ପକାଇ ଦିଆଯାଇଛି। ତେଣୁ ଦୁର୍ଘଟଣା ଘଟି ଜୀବଜନ୍ତୁ ମାନଙ୍କ ଜୀବନ ଅକାରଣେ ଯାଉଛି। ନରଣପୁର ସଂରକ୍ଷିତ ଜଙ୍ଗଲରେ ଗୋପାଳପୁର ପୂର୍ବରୁ ନିର୍ମାଣଧିନ ଅଣ୍ଡରପାସର କାମ ସରିଥିଲେ ମଧ୍ୟ ଜୀବଜନ୍ତୁ ଗମନାଗମନ ସୁଗମ ନଥିବାରୁ ରାସ୍ତାର ଏକ ପାର୍ଶ୍ୱରେ ଥିବା ଜଙ୍ଗଲରୁ ଅନ୍ୟ ପାଖ ଜଙ୍ଗଲକୁ ଯିବା ଆସିବାରେ ଜନ୍ତୁମାନେ ଅସୁବିଧା ଭୋଗୁଛନ୍ତି। ତେଣୁ ଟ୍ରକ ଆଗରେ ପଡି ଜନ୍ତୁମାନେ ଜୀବନ ହାରିବା ଭଳି ପରିସ୍ଥିତି ଉପୁଜୁଛି। ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ହାତୀ ରହିଥିବା କାରଣରୁ ପିପିଳିଆ ଠାକୁରାଣୀ ଶାଳ ନିକଟରେ ୧୫ଫୁଟ ଉଚ୍ଚତାର ଏକ ଏଲିଫ୍ୟାଣ୍ଟ ଅଣ୍ଡରପାସ କାମ ଆରମ୍ଭ ହୋଇଥିଲା। ମାତ୍ର ଏହି କାମ ଅସମ୍ପୂର୍ଣ୍ଣ ହୋଇ ପଡିଛି। ଫଳରେ ହାତୀମାନେ ଅନେକ ସମୟରେ ବିପଦସଙ୍କୁୁଳ ଅବସ୍ଥାରେ ରାସ୍ତା ପାର ହେଉଛନ୍ତି। ଟ୍ରକ୍‌ଗୁଡିକ ସହ ଅନେକ ସମୟରେ ହାତୀମାନେ ମୁହଁାମୁହିଁ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଗାଡିମୋଟରର କ୍ଷୀପ୍ର ଆଲୋକ ସାଙ୍ଗକୁ ଉଚ୍ଚଶଦ୍ଦରେ ହର୍ନ ହାତୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷ କରି ଛୁଆ ହାତୀଙ୍କ ପାଇଁ ଉଚ୍ଚଶଦ୍ଦର ହର୍ଣ୍ଣ ଓ ଆଲୋକ କ୍ଷତିକାରକ ବୋଲି କୁହାଯାଉଛି।