ଦିଗପହଣ୍ଡି,୧୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ କିଛି ମାଫିଆ ଲଗାତର ଭାବେ ମୋରମ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ବୁରିପଦର ଗ୍ରାମ୍ୟ ଜଙ୍ଗଲରୁ ଜେସିବିି ମେସିନ ସହାୟତାରେ ମୋରମ ଖୋଳି ଟ୍ରାକ୍ଟର ଯୋଗେ ଚୋରା ଚାଲାଣ କରାଯାଉଥିବା ବେଳେ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ ଉକ୍ତ ଟ୍ରାକ୍ଟର ଓ ଜେସିବି ମେସିନ କୁ ଅଟକାଇ ଦିଗପହଣ୍ଡି ତହସିଲଦାର, ବନାଞ୍ଚଳ ଅଧିକାରୀ, ପୋଲିସ ଥାନା ଏବଂ ବ୍ରହ୍ମପୁର ସ୍ଥିତ ଖଣି ବିଭାଗ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ। କନିଷ୍ଠ ଖଣି ଅଧିକାରୀ ସୌମ୍ୟରଞ୍ଜନ ନାୟକ ଏବଂ କିଛି ପୋଲିସ ଅଧିକାରୀ ସେଠାରେ ପହଞ୍ଚି ତଦନ୍ତ କରିବା ସହ ଜଣେ ଠିକାଦାରଙ୍କ ମଧ୍ୟସ୍ଥତାରେ ମାମଲା ରଫାଦଫା କରି ତଲାସିଙ୍ଗି ଗ୍ରାମ ନିକଟରେ ଟ୍ରାକ୍ଟରରୁ ମୋରୁମ ଢ଼ାଳି ଦେଇ ଟ୍ରାକ୍ଟର ଓ ଜେସିବି କୁ ଛାଡ଼ିଦେଇ ଥିବା ନେଇ ସରପଞ୍ଚ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିବେ ବୋଲି ସରପଞ୍ଚ ବୁଧବାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ। ପୂର୍ବନିଷ୍ପତ୍ତି ଅନୁଯାୟୀ ସରପଞ୍ଚ ଗୁରୁବାର ପୂର୍ବାହ୍ନରେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ତହସିଲଦାର ସନ୍ତୋଷ କୁମାର ସାହୁ ସେଠାରେ ପହଞ୍ଚି ତାଙ୍କୁ ଧାରଣା ଦେବାରୁ ନିବୃତ୍ତ କରାଇ କାର୍ଯ୍ୟାଳୟ ସଭାଗୃହକୁ ଡାକି ନେଇଥିଲେ। ସେଠାରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ବ୍ରହ୍ମପୁର ଖଣି ବିଭାଗର ଅଧିକାରୀ ବୃନ୍ଦ , ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭୀମା ରାଓ, ରେଞ୍ଜର ଦିବ୍ୟ ରଞ୍ଜନ ସାହୁ, ଫରେଷ୍ଟର ସନ୍ତୋଷ ବିଷୋୟୀ ରତ୍ନ ଓ ଦିଗପହଣ୍ଡି ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କ ସହ ସବିଶେଷ ଆଲୋଚନା କରିଥିଲେ।