ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗ: ପ୍ରଥମଥର ମୁହଁ ଖୋଲିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ପାଇଁ…

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗାପ୍ରସନ୍ନ ନାୟକ।

ସେ କହିଛନ୍ତି, ସାନ ଭଉଣୀ ଚାମେଲି ବିରୋଧୀ ଦଳର ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। କାମରେ ନୁହେଁ, କ୍ୟାମେରା ଆଗରେ ରହିବାକୁ ଚାହୁଁଛନ୍ତି ବିରୋଧୀ। ଏଠାରେ ଯେଉଁ ପ୍ରତ୍ୟାଖ୍ୟାତ ନେତା ଅଛନ୍ତି ସେମାନଙ୍କୁ ଲୋକ ଚାହୁଁନାହାନ୍ତି ବୋଲି ଦୁର୍ଗା କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୦ ତାରିଖରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା ଚାମେଲିଙ୍କୁ ମହାକାଳପଡ଼ା ପୋଲିସ ଶନିବାର ଗିରଫ କରିଥିଲା। ଅସୁସ୍ଥତା ସତ୍ତ୍ୱେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ନାମରେ ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ଅଭିଯୋଗ (ନଂ- ୧୭୦/୨୬) ଓ ପୋଲିସ ସବ୍‌ଇନ୍ସପେକ୍ଟର ତପସ୍ୱିନୀ ବିଶ୍ୱାଳଙ୍କ ଅଭିଯୋଗ (ନଂ- ୧୭୧/୨୬)ରେ ରୁଜୁ ହୋଇଥିବା ମାମଲାରେ ଜାମିନ ନାମଞ୍ଜୁର ହେବାରୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିଲା। ସେ ଅସୁସ୍ଥ ଥିବାରୁ ବାରିମୂଳ ଜେଲ କର୍ତ୍ତୃପକ୍ଷ ତାଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲା ।

ସରପଞ୍ଚ ଓଝାଙ୍କ ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ମଧ୍ୟାହ୍ନରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବିଡିଓଙ୍କ ସହ ଆଲୋଚନା ପାଇଁ ବ୍ଲକକୁ ଯାଇଥିଲେ। ସେଠାରେ କେତେକ ବ୍ୟକ୍ତି ସରପଞ୍ଚ ଓଝାଙ୍କୁ ଅଯଥା ଚାପ ସୃଷ୍ଟି କରାଯାଉଛି କହି ଆଲୋଚନାରେ ବାଧା ଦେଇଥିଲେ। ଏଥିପାଇଁ ସେ ନିଜ ମୋବାଇଲରୁ ଭିଡିଓ ରେକର୍ଡିଂ କରିଥିଲେ। ପରେ ବିଡିଓ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ ବ୍ୟକ୍ତିମାନେ ଚାମେଲିଙ୍କ ମୋବାଇଲ ଛଡ଼ାଇବା, ମାରିଦେବା ପରି ଧମକ ଦେଇଥିଲେ।

ଥାନା ପୋଲିସ ଗାଡିରେ ୩ ଜଣ କର୍ମଚାରୀ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ବିଧାୟକଙ୍କ ଆଶା ପୂରଣ ପାଇଁ ବିଡିଓ ଏବଂ ପୋଲିସ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଅପରପକ୍ଷରେ ବିଡିଓ ଆଚାର୍ଯ୍ୟ ସରକାରୀ କାର୍ଯ୍ୟରେ ବାଧା ଓ ଭିଡିଓ ଉତ୍ତୋଳନ ମାଧ୍ୟମରେ ବିରକ୍ତିକର ପରିସ୍ଥିତି ସୃଷ୍ଟି ପାଇଁ ଅଭିଯୋଗ କରିଛନ୍ତି।

ସେହିପରି ଗାଡିରେ ଆଣିବା ସମୟରେ ଏସ୍‌ଆଇ ତପସ୍ୱିନୀ ବିଶ୍ୱାଳଙ୍କୁ ସରପଞ୍ଚ ଓଝା ଆକ୍ରମଣ କରିଥିବା ଥାନା ପୋଲିସ ଅଭିଯୋଗ କରିଛି । ଅପରପକ୍ଷରେ ଗତ ଗୁରୁବାର ଅପରାହ୍ନରେ ସରପଞ୍ଚ ଓଝା ଥାନାରେ ଅସୁସ୍ଥ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା।

ଏହି ଘଟଣାରେ ବିଭିନ୍ନ ରାଜନୈତିକ ଦଳ ରାଜ୍ୟ ସରକାରଙ୍କ ମହିଳା ବନ୍ଦନ ଯୋଜନାକୁ କଟୁ ସମାଲୋଚନା କରିବା ସହ ଜିଲା କଂଗ୍ରେସ ପକ୍ଷରୁ ଥାନା ସମ୍ମୁଖରେ ଗଣବିକ୍ଷୋଭ ହୋଇଛି। ଏସ୍‌ପିଙ୍କୁ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।

Dharitri – Odisha’s No.1 Odia Daily

Share