ଜିଅନ୍ତା ମାଛ ଧରି ସରପଞ୍ଚ ପ୍ରାର୍ଥିନୀଙ୍କ ପ୍ରଚାର

ନବରଙ୍ଗପୁର,୩୧ା୧(ବି.ପ୍ର.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୪ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଭଗବତୀ ଭତରା(ମାଛଚିହ୍ନ), ହରପ୍ରିୟା ନାୟକ(ସୂର୍ଯ୍ୟ), ଲକ୍ଷ୍ମୀ ଜାନୀ(ଖୋଲାଛତା) ଓ ପୂର୍ଣ୍ଣିମା ଜାନୀ (ବହି) ଚିହ୍ନରେ ପ୍ରଚାର ଚଳାଇଛନ୍ତି। ପଞ୍ଚାୟତରେ ୬ ରାଜସ୍ବ ଗାଁ ସମେତ ୨୧ ପଡ଼ା ଗାଁ ରହିଛି। ୬ ହଜାର ୬୩୩ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା ଏଥର ପାତ୍ରୀ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢୁଛନ୍ତି। ସେ ଜିଲା ପରିଷଦ ଅଧ୍ୟକ୍ଷା ରହିବା ପରେ ସରପଞ୍ଚ ପ୍ରାର୍ଥୀ ହେବା ଯେତିକି ଚର୍ଚ୍ଚାର ବିଷୟ ହୋଇଛି ତାଙ୍କ ଅଭିନବ ପ୍ରଚାର ତାହାଠାରୁ ଅଧିକ ରୋଚକ ହୋଇଛି। ପ୍ରାର୍ଥୀ ନିଜ ଚିହ୍ନର ପରିଚୟରେ ଭୋଟରଙ୍କ ନିକଟକୁ ଯାଉଛନ୍ତି। ଭଗବତୀ ମାଛ ଚିହ୍ନରେ ପ୍ରଚାର ପାଇଁ ଜିଅନ୍ତା ମାଛ ହାତରେ ଧରି ଭୋଟରଙ୍କ ପାଖକୁ ଯାଉଛନ୍ତି। ସୂଚନାଯୋଗ୍ୟ, ଅଙ୍ଗନୱାଡି କର୍ମୀ ଚାକିରି ଛାଡ଼ି ଭଗବତୀ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ପାପଡ଼ାହାଣ୍ଡି ଜିଲା ପରିଷଦ ଜୋନ୍‌-୩ର ଜିଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇ ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ। ୨୦୨୨ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ। ତେଣୁ ରାଜନୀତି ମୋହ ବଢ଼ିଥିଲା। ଏବେ ସେ ସରପଞ୍ଚ ପ୍ରାର୍ଥିନୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କ ଅଭିନବ ପ୍ରଚାର ଭୋଟରଙ୍କ ମଧ୍ୟରେ ବି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ସରପଞ୍ଚ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବାର ମୂଳଲକ୍ଷ୍ୟ ଜନସେବା ବୋଲି ଭଗବତୀ କହିଛନ୍ତି।