ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଭିନ୍ନ ଢଙ୍ଗରେ ପାଳିତ ହୋଇଯାଇଛି । ଏହି ଅବସରରେ ଗୁରୁବାର ‘ଏକ ପେଡ୍ ମା କେ ନାମ ୩.୦’ ଅଭିଯାନ ଅନ୍ତର୍ଗତ ସ୍ୱତନ୍ତ୍ର ଏକଦିନିଆ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ଉତ୍ତର ବନଖଣ୍ଡର ମୁଜାଗଡ଼, ସେଣ୍ଟ୍ରାଲ, ତାରସିଙ୍ଗି, ଗାଲେରୀ ଓ ଜଗନ୍ନାଥପ୍ରସାଦ ରେଞ୍ଜର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
ମୁଜାଗଡ଼ା ରେଞ୍ଜ ଅନ୍ତର୍ଗତ ବାହାଡ଼ାପଦର ନୋଡାଲ ହାଇସ୍କୁଲ ଇକୋ-କ୍ଲବ, ସେଣ୍ଟ୍ରାଲ ରେଞ୍ଜର କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି (ଭିଏସଏସ), ତାରସିଙ୍ଗି ରେଞ୍ଜର କୋକଳବା , ଗାଲେରୀ ରେଞ୍ଜର ବେରୁଆଁବାଡ଼ି ଏଆର୍ ପ୍ଲାଣ୍ଟେସନ ସାଇଟ୍ ଏବଂ ଜଗନ୍ନାଥପ୍ରସାଦ ରେଞ୍ଜର ଡିମିରିପାଲି ଏଏନ୍ଆର୍ ପ୍ଲାଣ୍ଟେସନ ସାଇଟ୍ରେ ଚାରାରୋପଣ କରାଯାଇଥିଲା।
ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି, ସ୍ଥାନୀୟ ଲୋକ, ଛାତ୍ରୀଛାତ୍ର, ବନ ସୁରକ୍ଷା ସମିତିର ସଦସ୍ୟ, ବନ ବିଭାଗ କର୍ମଚାରୀ ଓ ପରିବେଶପ୍ରେମୀମାନେ ଯୋଗଦେଇ ଚାରାରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ଗଛର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମଗୁଡ଼ିକରେ ଘୁମୁସର ଉତ୍ତର ବନଖଣ୍ଡର ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି ଓ ଏସିଏଫ୍ ବିମଳ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ରେଞ୍ଜର ବନ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଗାଲେରୀ ରେଞ୍ଜ ଅଞ୍ଚଳରେ ହୋଇଥିବା କାର୍ଯ୍ୟକ୍ରମରେ ସରପଞ୍ଚ ଉଷାରାଣୀ ପ୍ରଧାନ, ସମିତିସଭ୍ୟା ସୁନୀତା ଦଳବେହେରା, ସମିତିସଭ୍ୟ ସୁବାସ ଚନ୍ଦ୍ର ପ୍ରଧାନ, ତିଲିସିଙ୍ଗି ସରପଞ୍ଚ ପ୍ରତିନିଧି ସୁନୀଲ କୁମାର ନାୟକଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଲୋକମାନେ ଯୋଗଦେଇଥିଲେ।
ପ୍ରକୃତି ସୁରକ୍ଷା, ବନ ସମ୍ପଦ ବୃଦ୍ଧି ଓ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ସୃଷ୍ଟି ଲକ୍ଷ୍ୟରେ ଏଭଳି ଚାରାରୋପଣ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ରେଞ୍ଜର ସରୋଜ କୁମାର ମହାନ୍ତି, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ, ମୁଜାଗଡ ରେଞ୍ଜର ପ୍ରମୁଖ କାର୍ଯ୍ଯକ୍ରମ ଗୁଡିକୁ ପରିଚାଲନା କରିବାରେ ସହଯୋଗ କରିଥିଲେ।