କୋମାରେ ସନ୍ତୋଷପୁର ସ୍ବାସ୍ଥ୍ୟକେନ୍ଦ୍ର: ୧୦ବର୍ଷ ହେଲା ନାହାନ୍ତି ଡାକ୍ତର

ରୂପ୍‌ସା, ୬ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନରେ ଥିବା ସନ୍ତୋଷପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ କୌଣସି ଡାକ୍ତର ନିଯୁକ୍ତି ହେଉ ନ ଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜଣେ ଫାର୍ମାସିଷ୍ଟ, ଜଣେ ପିଅନ ଓ ସ୍ବାସ୍ଥ୍ୟସେବିକାଙ୍କ ଦ୍ୱାରା କାମଚଳା ରୋଗୀସେବା ଚାଲୁଥିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଏବେ କୋମା ଅବସ୍ଥାରେ ରହିଛି। ପ୍ରତିବାଦରେ ସ୍ଥାନୀୟ ଜୀବନସାଥି ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆସନ୍ତା ୧୦ତାରିଖରୁ ଆମରଣ ଅନଶନ କରାଯିବ ବୋଲି ସଙ୍ଗଠନ ସଭାପତି ଦେବେନ୍ଦ୍ର ବେହେରା, ସମ୍ପାଦକ ଇଂ. ଦୀପ୍ତିମାନ ପତିଙ୍କ ସମେତ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି।

ଅନ୍ତର୍ଗତ ସନ୍ତୋଷପୁର, ଭେଲୋରା, କୁଳିଦା ଆଦି ପଞ୍ଚାୟତ ସମେତ ପଡ଼ୋଶୀ ମୟୂରଭଞ୍ଜ ଜିଲାର ୨୫ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। ମାତ୍ର ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ କୌଣସି ସ୍ଥାୟୀ ଡାକ୍ତର ନାହାନ୍ତି। ଜଣେ ଫାର୍ମାସିଷ୍ଟ ସପ୍ତାହକୁ କେବଳ ୩ଦିନ ଆସନ୍ତି। ଜଣେ ପିଅନ ଓ ଜଣେ ସ୍ବାସ୍ଥ୍ୟସେବିକା ସ୍ବାସ୍ଥ୍ୟସେବାକୁ ପରିଚାଳନା କରିଥାନ୍ତି। ଫଳରେ ଅନ୍ୟ ଉପାୟ ନ ପାଇ ଜରୁରୀ ପରିସ୍ଥିତିରେ ରୋଗୀମାନେ କ୍ୱାକଙ୍କ ଦ୍ୱାରା ଚିକିତ୍ସିତ ହୋଇ ଶୋଷଣର ଶିକାର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସମ୍ପାଦକ ଇଂ. ଦୀପ୍ତିମାନ ପତି କହନ୍ତି, ସ୍ବାସ୍ଥ୍ୟକେନ୍ଦ୍ର ୬୦ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ। ୨୦୧୩ରେ ଓଡ଼ିଶା ସରକାରଙ୍କ ଦ୍ୱାରା ୬ଶଯ୍ୟା ବିଶିଷ୍ଟ ନୂତନ ପକ୍କା ଗୃହ ନିର୍ମାଣ କରାଯାଇଛି। ରାଜପଥ ଦୁର୍ଘଟଣାରେ ଶିକାର ବ୍ୟକ୍ତିମାନେ ଜରୁରୀ ସେବା ନ ପାଇ ମୃତ୍ୟୁବରଣ କରୁଛନ୍ତି।

ଦେବେନ୍ଦ୍ର ବେହେରା କହନ୍ତି, ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଦାବି କରିଆସୁଥିଲେ ହେଁ କୌଣସି ସୁଫଳ ମିଳୁନାହିଁ। ଏନେଇ ଗତ ନଭେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ, ସ୍ବାସ୍ଥ୍ୟସଚିବ, ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଲିଖିତ ଭାବେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନ ହେଲେ ଆସନ୍ତା ୧୦ରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦେବଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ଆସିଛି। ଡାକ୍ତର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି। ଖୁବ୍‌ଶୀଘ୍ର ସପ୍ତାହକୁ ୨/୩ଦିନ ପାଇଁ କୌଣସି ଡାକ୍ତରଙ୍କୁ ଡେପୁଟେଶନରେ ପଠାଯିବାର ବ୍ୟବସ୍ଥା ହେବ।

ବାଞ୍ଛାନିଧି ଦେ