ସଂସ୍କୃତ ସଂସ୍କୃତି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ବିଜ୍ଞପ୍ତି ସଂସ୍କୃତ ଭାଷାରେ ପଠାଯିବା ଆରମ୍ଭ ହୋଇଛି। ପୂର୍ବରୁ ଇଂଲିଶ, ହିନ୍ଦୀ ଓ ଊର୍ଦ୍ଦୁ ଭାଷାରେ ଏସବୁ କରାଯାଉଥିଲା। ଏବେ ଚତୁର୍ଥ ଭାଷା ଭାବେ ସଂସ୍କୃତରେ ଯେଉଁ ପ୍ରେସ୍‌ ରିଲିଜ୍‌ ବାହାରିବ ତାହାର ଦେଖାରଖା ଲାଗି କେତେ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସଂସ୍କୃତ ପ୍ରୀତି ନେଇ ସେଠାକାର ଅଧିକାରୀଙ୍କୁ ପଚରାଯିବା ପରେ ଉତ୍ତର ମିଳିଛି ଯେ, ମୁଲାୟମ ସିଂ ଯାଦବ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଊର୍ଦ୍ଦୁ ଭାଷାର ପ୍ରସାର ପାଇଁ ସେଭଳି ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଚାହିଁବାରୁ ସଂସ୍କୃତକୁ ଏଥିରେ ଯୋଡ଼ାଗଲା ବୋଲି ଜଣେ ଅଫିସର କହିଛନ୍ତି।
ଉପରଲିଖିତ କଥାକୁ ଦେଖିଲେ ଭାରତରେ ଶାସକଙ୍କ ଏକଜିଦିଆ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ତାଙ୍କୁ ଖୁସି ଦେଇଥାଏ। କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ କାହାଣୀ ରଚେ। ଯେଉଁ ଅଧିକାରୀଙ୍କ ଉପରେ ସଂସ୍କୃତର ବୋଝ ଲଦି ଦିଆଗଲା ସେମାନେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ କରିବାରୁ ବଞ୍ଚିତ ହେଲେ। ଗୋଟେ ଭାଷାର ପ୍ରସାର ହେବାକୁ ବିରୋଧ କରାଯିବା ଉଚିତ ନୁହେଁ। ମାତ୍ର ଯେଉଁ ଭାଷା ଏବେ ପ୍ରଚଳିତ ନାହିଁ ଏବଂ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ଯୁଗରେ ଯାହାର ବ୍ୟବହାର ଅତ୍ୟନ୍ତ ସୀମିତ, ସେଭଳି ଏକ ଭାଷାକୁ ଜୋରଜବରଦସ୍ତ ପ୍ରୋତ୍ସାହନ ଦେବା କେତେଦୂର ଯୁକ୍ତିଯୁକ୍ତ ତାହା କହିବା କଷ୍ଟକର। ଉଲ୍ଲେଖଯୋଗ୍ୟ ଯେ, ସଂସ୍କୃତ ଏକ ଆର୍ଯ୍ୟ ଭାଷା ହୋଇଥିବା ବେଳେ ଭାରତରେ ଅଣ-ଆର୍ଯ୍ୟ ଜାତି ମଧ୍ୟ ଅଛନ୍ତି। ସଂସ୍କୃତକୁ ହିନ୍ଦୁଙ୍କ ଭାଷାର ଆଖ୍ୟା ଦେଲେ ତାହା ପ୍ରତି ଅବିଚାର ହେବ ବୋଲି କୁହାଯାଇପାରେ।
ଆଜିର ସ୍ଥିତି ଦେଖିଲେ ଇଂଲିଶ ଭଳି ଏକ ଅନ୍ତର୍ଜାତୀୟ ଭାଷା ଓ ଯାହାର ବ୍ୟବହାର ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ନିଯୁକ୍ତି କ୍ଷେତ୍ରରେ ବହୁଳ ଆବଶ୍ୟକତା ରହିଛି, ସେଥିରେ ପାରଙ୍ଗମ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ଉଚ୍ଚଶିକ୍ଷିତ ବେକାର ହୋଇଗଲେଣି। କୋଭିଡ୍‌-୧୯ ମହାମାରୀ ଭାରତବର୍ଷରେ ସର୍ବନିମ୍ନ ୭ କୋଟି ଲୋକଙ୍କ ଚାକିରି ଛଡ଼ାଇ ନେଇଥିବା କୁହାଯାଉଛି। ଏହା ହେଉଛି ସରକାରୀ ଆକଳନ। ସାଧାରଣରେ ସରକାର ଏବେ ସବୁବେଳେ ଅସତ୍ୟ ତଥ୍ୟ ଦେଇ ଚାଲୁଥିବାରୁ ଏହି ସଂଖ୍ୟାକୁ ସହଜରେ ତିନିଗୁଣା କରିହେବ। ମନେପଡ଼େ ଚଳିତବର୍ଷ ପ୍ରାରମ୍ଭରେ ଯୋଗୀ ଆଦିତ୍ୟନାଥ ‘ଭାରତୀୟ ଭାଷା ମହୋତ୍ସବ’ରେ ଯୋଗଦେବା ବେଳେ କହିଥିଲେ, ଯିଏ ସଂସ୍କୃତ ପଢ଼ିଥିବେ ସେ କଦାପି ଭୋକିଲା ମରିବେ ନାହିଁ। କାରଣ ଭାରତର ସାଧୁ ସନ୍ନ୍ୟାସୀମାନେ ଏହି ଭାଷା ଶିଖି ଭଲ ନିଯୁକ୍ତି ପାଉଥିଲେ। ପୁରୁଣା କଥାକୁ ଯୋଗୀ ମନେ ପକାଇବା ଓ ସେତେବେଳର ସ୍ଥିତିକୁ ବର୍ତ୍ତମାନ ଦୃଷ୍ଟାନ୍ତ ଭାବେ ଦର୍ଶାଇବା ମଧ୍ୟରେ ଆକାଶପାତାଳ ଫରକ ରହିଛି। ଏବେ ଯାହା ଦୃଶ୍ୟମାନ ହେଉଛି ଓ ଏହାର ପ୍ରଭାବ ନିକଟ ଭବିଷ୍ୟତରେ ରହିବାର ଯେଉଁସବୁ ସଙ୍କେତ ଦେଲାଣି ସଂସ୍କୃତରେ ପାରଙ୍ଗମ ବ୍ୟକ୍ତି ନିଯୁକ୍ତି ପାଇବା କଷ୍ଟକର ହୋଇପାରେ। କାରଣ ଜଣେ ପୂଜକ ସର୍ବନିମ୍ନ ସ୍ତରର ରୋଜଗାର ଯେଉଁ ମନ୍ଦିର ଓ ପୂଜାସ୍ଥଳୀଗୁଡ଼ିକରୁ ପାଇପାରୁଥିଲେ, ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସରକାରୀ କଟକଣା କୋହଳ ହୋଇ ଧର୍ମାନୁଷ୍ଠାନଗୁଡ଼ିକୁ ଯେବେ ବି ଆଗକୁ ସମ୍ପୂର୍ଣ୍ଣ ଖୋଲିଦିଆଯିବ, ସେସବୁ ସ୍ଥାନକୁ ଅନେକ ଲୋକ ଯିବାକୁ ଡରିବେ। କୋଭିଡ୍‌-୧୯ ପରବର୍ତ୍ତୀ ସ୍ଥିତି ଢେର ବର୍ଷ ଧରି ଜନମାନସକୁ ଆନ୍ଦୋଳିତ କରି ରଖିବ। ଲୋକେ ଶାରୀରିକ ସୁସ୍ଥତାକୁ ସର୍ବାଧିକ ଗୁରୁତ୍ୱ ଦେବା ଆରମ୍ଭ କରିଦେଇଥିବାରୁ ସେହି ତୁଳନାରେ ଧର୍ମବିଶ୍ୱାସ ପଛରେ ପଡ଼ିଯାଇପାରେ। ଶଙ୍ଖ ଫୁଙ୍କିବା, ଦୀପ ଜଳାଇବା, ତାଳି ମାରିବାଠାରୁ ଆରମ୍ଭ କରି ଯୋଗ ଅଭ୍ୟାସ କରିବା ପାଇଁ ଦିଆଯାଉଥିବା ସବୁ ବାର୍ତ୍ତା ଏବେ ମିଥ୍ୟା ବୋଲି ପ୍ରମାଣିତ ହେଲାଣି। କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଲାଗି ଉପରଲିଖିତ ପଦକ୍ଷେପ ନେବା ଲାଗି ସେତେବେଳେ ଲୋକଙ୍କୁ ଯେଭଳି ଭୁଆଁ ବୁଲାଗଲା, ଏବେ ସମଗ୍ର ଦେଶ ତା’ର କୁଫଳ ଭୋଗୁଛି। ଆଜି ଭାରତରେ ଦିନକୁ ପ୍ରାୟ ୧ ଲକ୍ଷ ଲୋକ ସଂକ୍ରମିତ ହେଲେଣି। ଆଧୁନିକ ପଦ୍ଧତିରେ ନିଜକୁ ପ୍ରସ୍ତୁତ କରିବା ପରିବର୍ତ୍ତେ କେବଳ ଉପରଠାଉରିଆ ପଦକ୍ଷେପ ନିଆଯାଉଛି। ଏହାଦ୍ୱାରା ପୁରୁଣା ଚିନ୍ତାଧାରାକୁ ବାରମ୍ବାର ଲୋକଙ୍କୁ କହି ଦେଶ ଓ ଭାରତୀୟ ସମାଜର ଅଧିକ କ୍ଷତି ଘଟାଯାଉଛି। ସେଥିପାଇଁ ମଣିଷ ଏବେ ଆଧୁନିକ ପଥରେ ଯାଇ ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ ସତର୍କ ହେଲାଣି।
ବିଶ୍ୱରେ ପ୍ରାଚୀନ ଭାଷା ଭାବେ ଲାଟିନ୍‌ ଓ ସଂସ୍କୃତକୁ ଗଣାଯାଇଥାଏ। କୁହାଯାଏ ଅନେକ ଭାଷା ଏଇ ଦୁଇଟିରୁ ଉତ୍ପନ୍ନ ହୋଇଛନ୍ତି। ସମୟକ୍ରମେ ଏସବୁ ପ୍ରାସଙ୍ଗିକତା ହରାଇ ବସିଥିବାରୁ ଜୀବନ ନ ଥିବା ଭାଷା ସ୍ତରକୁ ଆସିଗଲେଣି। ସେହି ଦୃଷ୍ଟିରୁ ଦେଖିଲେ ଯୋଗୀଙ୍କ ଭଳି ଶାସକ ନିଜ ଖିଆଲିକୁ ଛୋଟ ଛୋଟ କଥା ଭିତରେ ସୀମିତ ନ ରଖି ଜନକଲ୍ୟାଣ ଦିଗରେ ଉପଯୋଗ କରିବା ଦରକାର। ସମଗ୍ର ଭାରତବର୍ଷରେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି। ସ୍ବାସ୍ଥ୍ୟଜନିତ ସମସ୍ୟା ଦୂର କରିବା ଲାଗି ପର୍ଯ୍ୟାପ୍ତ ଅର୍ଥ ବ୍ୟୟ ହେଉଛି। ଏଭଳି ସ୍ଥଳେ ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ କିଭଳି ନିଯୁକ୍ତି ସୃଷ୍ଟି କରାଯାଇପାରିବ ହେବା କଥା ଶାସକଙ୍କ ମୂଳ ଲକ୍ଷ୍ୟ। ଦେଖାଯାଉଛି ଅନେକ ଶାସକ ଓ ପ୍ରଶାସକ ମୌଳିକ ଲକ୍ଷ୍ୟରୁ ହଟି ଭିନ୍ନ ପ୍ରସଙ୍ଗ ପଛରେ ପଡ଼ିଛନ୍ତି। ଏଭଳି ଚିନ୍ତାଧାରା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି କ୍ଷତିରେ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri