ନୂଆଦିଲ୍ଲୀ, ୧୧।୧୧: ଭାରତୀୟ ଦଳର ଷ୍ଟାର ଉଇକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଜି ଅର୍ଥାତ୍ ବୁଧବାର (୧୧ ନଭେମ୍ବର) ସଞ୍ଜୁ ନିଜର ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନର ଠିକ ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି (୨୦୨୬)ରେ ସେ କେରଳ ଦଳର ନେତୃତ୍ୱ ନେବେ। ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ କେରଳ ନିଜର ପ୍ରଥମ ମ୍ୟାଚ ମଧ୍ୟପ୍ରଦେଶ ବିପକ୍ଷରେ ଖେଳିବ।
କେରଳ ପକ୍ଷରୁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ରେଡ ବଲ ଦଳର ଅଧିନାୟକ ବିଷ୍ଣୁ ବିନୋଦଙ୍କୁ ମଧ୍ୟ ସ୍ଥାନ ମିଳିଛି। କେରଳ କ୍ରିକେଟ ଲିଗ୍ରେ ନିଜର ପ୍ରତିଭା ଦେଖାଇଥିବା ଉଦୀୟମାନ ଖେଳାଳିଙ୍କୁ ମଧ୍ୟ ପୁରସ୍କାର ମିଳିଛି। ଟପ ଅର୍ଡର ବ୍ୟାଟର ଅହମ୍ମଦ ଇମ୍ରାନ ଏବଂ ବ୍ୟାଟିଂ ଅଲରାଉଣ୍ଡର ଗୋବିନ୍ଦ ଦେବ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଏହାବ୍ୟତୀତ ଦ୍ରୁତ ବୋଲର କେଏମ ଆସିଫ ଏବଂ ସ୍ପିନର ବିଗ୍ନେଶ ପୁଥୁରଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି।
କେରଳ ଗ୍ରୁପ-Cରେ ସ୍ଥାନ ପାଇଛି। ଏହି ଗ୍ରୁପରେମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ପୁଡୁଚେରୀ ଏବଂ ତ୍ରିପୁରା ମଧ୍ୟ ରହିଛନ୍ତି।
ଏହା ପ୍ରଥମ ଥର ନୁହେଁ ଯେ ସଞ୍ଜୁ ସାମସନ ଏହି ଟୁର୍ନାମେଣ୍ଟରେ କେରଳର ଅଧିନାୟକ ହେବେ। ଗତ ସିଜିନରେ ମଧ୍ୟ ସେ ଦଳର ନେତୃତ୍ୱ ନେଇଥିଲେ। ସଞ୍ଜୁଙ୍କ ଅଧିନାୟକତ୍ୱରେ କେରଳ ଗ୍ରୁପ-Aରେ ଚତୁର୍ଥ ସ୍ଥାନରେ ରହିଥିଲା। ଫଳରେ ଦଳ ନକଆଉଟ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିପାରିନଥିଲା।
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ ପାଇଁ କେରଳ ଦଳ:
ସଞ୍ଜୁ ସାମସନ (ଅଧିନାୟକ ଓ ଉଇକେଟ୍କିପର), ରୋହନ କୁନ୍ନୁମ୍ମଲ, ମହମ୍ମଦ ଆଜହରୁଦ୍ଦିନ (ଉଇକେଟ୍କିପର), ଅହମ୍ମଦ ଇମ୍ରାନ, ଗୋବିନ୍ଦ ଦେବ, କୃଷ୍ଣ ଦିୱାନ, ବିଷ୍ଣୁ ବିନୋଦ (ଉଇକେଟ୍କିପର), ସଲମାନ ନିଜାର, ଅଖିଲ ସ୍କାରିଆ, ନିଖିଲ ଏମ, ବିଗ୍ନେଶ ପୁଥୁର, ବିଜୁ ନାରାୟଣନ, କାର୍ତ୍ତିକ ବି ନାୟାର, ବୈଶାଖ ଚନ୍ଦ୍ରନ, କେଏମ ଆସିଫ, ନିଧିଶ ଏମ୍ଡି, ଶରଫୁଦ୍ଦିନ ଏନଏମ ଏବଂ ଜଲଜ ସକ୍ସେନା।