Categories: Home Leftଖେଳ

ହୃଦୟ ଜିତିଲେ ସଞ୍ଜୁ ସାମସନ, ଅସହାୟ ପରିବାର ପାଇଁ ଦେବଦୂତ ସାଜି କଲେ ଏମିତି କାମ, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୧୪।୧୧: ଭାରତୀୟ କ୍ରିକେଟର ସଞ୍ଜୁ ସାମସନଙ୍କ ଚାରିଟେବଲ ଫାଉଣ୍ଡେସନର ସହାୟତାରେ ଶେଷରେ କେରଳର ଏକ ପରିବାରକୁ ୧୦ ବର୍ଷ ପରେ ନିଜ ଘରର ଚାବି ମିଳିଛି। ପ୍ରାୟ ୧୦ ବର୍ଷ ପୂର୍ବେ ଘର ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଘର ନିର୍ମାଣ କାମ କେବେ ଶେଷ ହେବ, ସେ ଆଶା ମଧ୍ୟ ପରିବାର ଛାଡ଼ି ଦେଇଥିଲା। ଶେଷରେ ସଞ୍ଜୁ ସାମସନଙ୍କ ଚାରିଟେବଲ ଫାଉଣ୍ଡେସନ ସହାୟତାର ହାତ ବଢ଼ାଇବା ପରେ ପରିବାରକୁ ନୂଆ ଘରର ଚାବି ହସ୍ତାନ୍ତର କରାଯାଇଛି।

ନଭେମ୍ବର ୧୧ ତାରିଖରେ ସଞ୍ଜୁ ସାମସନଙ୍କ ଫାଉଣ୍ଡେସନ ପକ୍ଷରୁ ଏକ ଭିଡିଓ କ୍ଲିପ ସେୟାର କରାଯାଇଥିଲା। ଏଥିରେ ସାମସନଙ୍କ ମାଆ ଘରର ମାଲିକାଣୀଙ୍କୁ ଚାବି ହସ୍ତାନ୍ତର କରୁଥିବା ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ଧରି ଏହି ପରିବାର ନିଜ ଘରର ନିର୍ମାଣ କାମ ଶେଷ ହେବାକୁ ଅପେକ୍ଷା କରିଥିଲେ। ଶ୍ରୀ ଧନ୍ୟ ହୋମ୍ସ ପକ୍ଷରୁ ଘରର ନିର୍ମାଣ କାର୍ଯ୍ୟ କରାଯାଇଥିଲା। ଏହି ସହାୟତା ପାଇଁ ହିତାଧିକାରୀ ମହିଳା ଭାରତୀୟ କ୍ରିକେଟରଙ୍କ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି। ଭିଡିଓରେ ନୂଆ ଘରର ଭିତର, ବାହାର ଏବଂ ଛାତ ସମେତ ବିଭିନ୍ନ ଅଂଶର ଦୃଶ୍ୟ ମଧ୍ୟ ଦେଖାଯାଇଛି। ଘରର ମାଲିକାଣୀ କହିଛନ୍ତି, “ଏହି ମହତ୍‌ କାର୍ଯ୍ୟ ପାଇଁ ମୁଁ ଏବଂ ମୋ ପରିବାର ସବୁବେଳେ କୃତଜ୍ଞ ରହିବୁ। ଆମେ ଏଥିପାଇଁ ସର୍ବଦା ଋଣି ରହିବୁ।” ସେ ଭାବବିହୱଳ ହୋଇ କହିଛନ୍ତି ଯେ, ଶେଷରେ ଦୀର୍ଘ ଏକ ଦଶନ୍ଧି ପରେ ସେମାନଙ୍କୁ ଏପରି ଏକ ସ୍ଥାନ ମିଳିଛି, ଯାହାକୁ ସେମାନେ ନିଜ ଘର ବୋଲି କହିପାରିବେ।

ସୂଚନାଯୋଗ୍ୟ, ସଞ୍ଜୁ ସାମସନ ଫାଉଣ୍ଡେସନର ଆରମ୍ଭ ୨୦୨୩ ମସିହାରେ ହୋଇଥିଲା। ସଞ୍ଜୁ ସାମସନ ଏବଂ ଚାରୁଲତା ରମେଶ ମିଳିତ ଭାବେ ଏହି ଫାଉଣ୍ଡେସନ ଆରମ୍ଭ କରିଥିଲେ। କେଟ କ୍ୟାରିୟର କଥା କହିବାକୁ ଗଲେ, ୨୦୨୬ ମସିହା ସଞ୍ଜୁ ସାମସନଙ୍କ ପାଇଁ ଭଲ ରହିଛି। ୨୦୨୬ ଟି-୨୦ ବିଶ୍ୱକପରେ କ୍ରମାଗତ ତିନୋଟି ଅର୍ଦ୍ଧଶତକୀୟ ଇନିଂସ ଖେଳି ସେ ଭାରତୀୟ ଦଳକୁ କ୍ରମାଗତ ଦ୍ୱିତୀୟ ଥର ଟି-୨୦ ବିଶ୍ୱଚାମ୍ପିୟନ ହେବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ।

ସଞ୍ଜୁ ସାମସନ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳୁଥିବା ନଜର ଆସିଥିଲେ। ଏହି ସିରିଜର ପାଞ୍ଚଟି ଇନିଂସରେ ସେ ମୋଟ ୧୦୭ ରନ କରିଥିଲେ। ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ବ୍ୟତୀତ ସେ ଅନ୍ୟ କୌଣସି ବଡ଼ ଇନିଂସ ଖେଳିପାରିନଥିଲେ।

 

 

Dharitri – Odisha’s No.1 Odia Daily

Share
Tags: sanju samson