Categories: ଖେଳ

୧୨ରୁ ୧୪ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦ : ଚଳିତ ଆଇପିଏଲ ସିଜନର ପ୍ରଥମ ଫେଜରେ ୭ମ ସ୍ଥାନରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଏବେ ପ୍ଲେ-ଅପ୍‌ ଲାଗି ଯୋଗ୍ୟତା ହାସଲ କରିବା ନିକଟତର ହୋଇପାରିଛି। ଦ୍ୱିତୀୟ ଫେଜରେ ଦଳ ଭଲ ପ୍ରଦର୍ଶନ କରିଛି। ଦଳର ଏଭଳି ପ୍ରଦର୍ଶନ ପଛରେ ରହିଛନ୍ତି ଓପନିଂ ବ୍ୟାଟ୍ସମ୍ୟାନ ଭେଙ୍କଟେଶ ଆୟାର। ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ସେ ଜଣେ ଭଲ ମଧ୍ୟଗତିର ପେସର। ଅଲରାଉଣ୍ଡରଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର କହିଛନ୍ତି, ଭେଙ୍କଟେଶ ଆଗାମୀ ଆଇପିଏଲ ଅକ୍‌ଶନରେ ଖୁବ୍‌ ଉଚ୍ଚ ମୂଲ୍ୟରେ ବିକ୍ରି ହେବେ।

ମୋ ମତରେ ଭେଙ୍କଟେଶ ୧୨ରୁ ୧୪ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି। କାରଣ ସେ ଉଭୟ ବ୍ୟାଟ୍‌ ଓ ବଲରେ ଦଳକୁ ମ୍ୟାଚ୍‌ ଜିତାଇପାରନ୍ତି। ମୁଁ ତାଙ୍କ ପ୍ରଥମ ଶ୍ରେଣୀ ଓ ଲିଷ୍ଟ ଏ’ କ୍ୟାରିୟର ଦେଖୁଥିଲି। ସେ ୪୭ ହାରରେ ରନ୍‌ କରିଛନ୍ତି। ଆଇପିଏଲକୁ ଛାଡ଼ି ଦେଲେ ଘରୋଇ ଟି୨୦ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଉତ୍ସାହଜନକ ରହିଛି। ଗତ ମ୍ୟାଚ୍‌ରେ ସେ ଦେଖାଇ ଦେଇଥିଲେ ଯେ, ଡେଥ୍‌ ଓଭରରେ ମଧ୍ୟ ସେ ବୋଲିଂ କରିପାରିବେ। ଏଣୁ ସେ ଖୁବ୍‌ ଉଚ୍ଚ ମୂଲ୍ୟରେ ବିକ୍ରି ହେବେ ବୋଲି ମାଞ୍ଜରେକର କହିଛନ୍ତି। ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ଫେଜରେ ପଦାର୍ପଣ କରିଥିବା ମଧ୍ୟପ୍ରଦେଶର ୨୬ ବର୍ଷୀୟ ଖେଳାଳି ଏପର୍ଯ୍ୟନ୍ତ ୬ ମ୍ୟାଚ୍‌ରେ ୨୦୦ ରନ୍‌ କରିବା ସହ ୩ ଉଇକେଟ ନେଇଛନ୍ତି।

Share