କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହାଫଳରେ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପହିଛି। ସାହି ସାହିରେ କୁଢ଼ କୁଢ଼ ଆବର୍ଜନା । ସବୁଠି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।
କବିସୂର୍ଯ୍ୟନଗର ଏନଏସିକୁ ସରକାର ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି। l ହେଲେ ଏଠି ବିକାଶ ଦୂରର କଥା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଠାରେ କାଉନସିଲର ବୈଠକ ବସୁ ନ ଥିବା ବେଳେ ନିର୍ୱାହୀ ଅଧିକାରୀ ଓ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦେଖାମିଳୁ ନାହିଁ। ସୋମବାର ସମସ୍ତ ଅସ୍ଥାୟୀ ପରିମଳ କର୍ମଚାରୀ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଫୋଟ ରଖି ଆନ୍ଦୋଳନରେ ବସିଛନ୍ତି।
ପୂର୍ୱ ନିରାକାର ପରିମଳ ସଂସ୍ଥାର ୮ ମାସର ଦରମା ଓ ବର୍ତ୍ତମାନ ମହାଦେବ ପରିମଳ ସଂସ୍ଥାର ୨ ମାସର ଦରମା ବକେୟା ରହିଛି । ସେହିପରି ପୂର୍ୱେ ମୋଟ ୬୨ଜଣ ସଫେଇ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ନୂତନ ଭାବେ ୧୦ ଜଣ ଯୋଗ ଦେଇଛନ୍ତି ।
ନୂତନ ଭାବେ ଟେଣ୍ଡର ନେଇଥିବା ମହାଦେବ ସଂସ୍ଥା ୯୫ ଜଣ ନିଯୁକ୍ତି ପାଇଁ ଚୁକ୍ତି କରିଥିଲେ ସୁଦ୍ଧା ୩୦ ଜଣଙ୍କୁ ଛଟେଇ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ବକେୟା ଦରମା ହେତୁ କର୍ମଚାରୀ ଚଳିବା ନେଇ ସମସ୍ୟା ଉପୁଜି ଥିବାର ଅଭିଯୋଗ ହୋଇଛି।
ଏ ନେଇ ଭାରପ୍ରାପ୍ତ ଅଧ୍ୟକ୍ଷ, ନିର୍ୱାହୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l କନିଷ୍ଠ ପରିମଳ ଏକ୍ସପାର୍ଟ ମନୋଜ କୁମାର ଦତ୍ତଙ୍କୁ ପଚାରିବାରେ ସେ କହିଛନ୍ତି ଆନ୍ଦୋଳନରତ କର୍ମଚାରୀଙ୍କ ମାଷ୍ଟର ରୋଲ ସାଇନ ହୋଇନି, କାର୍ଯ୍ୟରେ ଅନୁପସ୍ଥିତ ଷ୍ଟେଟମେଣ୍ଟ ନାହିଁ, ଇଏସଆଇ ଦେଇନାହାନ୍ତି। ଏ ସମସ୍ତ କାଗଜପତ୍ର ଦାଖଲ କଲେ ଯାଇ ଦରମା ପ୍ରଦାନ କରାଯିବ।


