Categories: ଖେଳ

ଭାବବିହ୍ବଳ ହେଲେ ସାନିଆ

ମେଲବର୍ନ,୨୭ା୧: ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ନାମେଣ୍ଟର ମିକ୍ସଡ ଡବଲ୍ସ ବର୍ଗରେ ରନର୍ସ ଅପ୍‌ ହେବା ସହିତ ଗ୍ରାଣ୍ଡସ୍ଲାମ କ୍ୟାରିୟରକୁ ବିଦାୟ ଜଣାଇଛନ୍ତି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ଅନ୍ୟତମ ଭାରତୀୟ ଖେଳାଳି ରୋହନ ବୋପାନ୍ନାଙ୍କ ସହିତ ଯୋଡି ହେଇ ଖେଳୁଥିବା ସାନିଆ ଫାଇନାଲରେ ବ୍ରାଜିଲର ଲୁସିଆ ଷ୍ଟିଫାନି ଓ ରାଫେଲ ମାଟାଓସଙ୍କ ନିକଟରୁ ୬-୭(୨) ଓ ୨-୬ ସେଟରେ ପରାଜିତ ହୋଇଛନ୍ତି। ଶୁକ୍ରବାର ରଡ ଲାଭେର ଆରେନାରେ ଖେଳାଯାଇଥିବା ଫାଇନାଲରେ ଅଣସିଡେଡ୍‌ ସାନିଆ-ବୋପାନ୍ନା ଯୋଡି ପ୍ରଥମ ସେଟରେ କଡା ଟକ୍କର ଦେଇଥିଲେ। ଟାଇବ୍ରେକରରେ ସାନିଆ-ବୋପାନ୍ନା ପ୍ରଥମ ସେଟ୍‌ ହାରିଥିବା ବେଳେ ଦ୍ୱିତୀୟ ସେଟକୁ ୨-୬ରେ ହାରି ଯାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ ମାସରେ ଦୁବାଇ ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟ ପରେ ଅବସର ନେବା ସମ୍ପର୍କରେ ସାନିଆ ଘୋଷଣା କରିଥିଲେ। ଏହା ସାନିଆଙ୍କ କ୍ୟାରିୟରର ଅନ୍ତିମ ଗ୍ରାଣ୍ଡସ୍ଲାମ ହୋଇଥିବା ବେଳେ ମିକ୍ସଡ ଡବଲ୍ସରେ ରନର୍ସ ଅପ୍‌ ହୋଇଛନ୍ତି। ମ୍ୟାଚ ପରବର୍ତ୍ତୀ ଭାଷଣ ସମୟରେ ସାନିଆ ଭାବବିହ୍ବଳ ହୋଇ ପଡିଥିଲେ। ମେଲବର୍ନରୁ ମୁଁ ମୋର କ୍ୟାରିୟର ଆରମ୍ଭ କରିଥିବା ବେଳେ ମୋର ଗ୍ରାଣ୍ଡସ୍ଲାମ କ୍ୟାରିୟର ଏଠାରେ ଶେଷ କରିବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ସାନିଆ କହିଥିଲେ। ପ୍ରଥମତଃ ଅଷ୍ଟ୍ରେଲିଆନ୍‌ ଓପନରୁ ମୋର ଗ୍ରାଣ୍ଡସ୍ଲାମ କ୍ୟାରିୟର ଆରମ୍ଭ ହୋଇଥିଲା ଏବଂ ବୋପାନ୍ନା ମୋର ପ୍ରଥମ ମିକ୍ସଡ ଡବଲ୍ସ ପାର୍ଟନର। ତେଣୁ ଏଠାରେ ନିଜର ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ କରିବା ଅତ୍ୟନ୍ତ ଗର୍ବର ବିଷୟ। ୩୬ ବର୍ଷୀୟ ସାନିଆ ନିଜ ଟେନିସ୍‌ କ୍ୟାରିୟରରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଏହି ଫାଇନାଲ ମ୍ୟାଚ ଦେଖିବା ପାଇଁ ସାନିଆଙ୍କ ୪ ବର୍ଷର ପୁଅ ଇଝାନ ଓ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ ଡବଲ୍ସ ପାର୍ଟନର କାରା ବ୍ଲାକଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।

Share