ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ’ ଉନ୍ମୋଚିତ

ଭୁବନେଶ୍ୱର,୧୯।୪: ଟାଇମ୍‌ପାସ୍‌ ପ୍ରକାଶନ ସଂସ୍ଥା ଦ୍ୱାରା ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ବହି ବିଷୁବ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ’ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଶ୍ରୀଯୁକ୍ତ ବଂଶୀଧର ଷଡ଼ଙ୍ଗୀ ଓ ପ୍ରକାଶକ ସରୋଜ ବଳଙ୍କ ଉପସ୍ଥିତିରେ ଏହି ବହିଟି ଉନ୍ମୋଚିତ ହୋଇଥିଲା ।

ଟାଇମ୍‌ପାସ୍‌ ଦ୍ୱାରା ଆୟୋଜିତ ପ୍ରଥମା ପ୍ରତିଯୋଗିତାରେ ସଂଗ୍ରାମଙ୍କର ଏହି ଉପନ୍ୟାସ ସହିତ ଅନ୍ୟ ୧୧ଟି ପୁସ୍ତକ ନିର୍ୱାଚିତ ହୋଇ ପୂର୍ୱରୁ ପ୍ରଥମା ପୁରସ୍କାର ଲାଭ କରିଥିଲା । କଲେଜ ସମୟର ଏକ ପ୍ରେମ କାହାଣୀକୁ ଉପନ୍ୟାସର ରୂପ ଦେଇଥିବା ସଂଗ୍ରାମ ଶୁଭପଲ୍ଲବ ଓଡ଼ିଆ ପତ୍ରିକା ପ୍ରତିଷ୍ଠାତା ସମ୍ପାଦକ ଭାବରେ କାର୍ଯ୍ୟ କରୁଥିବାବେଳେ ଉଇକିପିଡ଼ିଆର ଜଣେ ସକ୍ରିୟ ସମ୍ପାଦକ ଭାବରେ ୩,୬୦୦ରୁ ଅଧିକ ପ୍ରସଙ୍ଗ ଲେଖିବା ସହ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ସୂଚନା ଥାଉକି, ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ପ୍ରକାଶିତ ସଂଗ୍ରାମଙ୍କର ପ୍ରଥମ ଇଂରାଜୀ ଉପନ୍ୟାସ ‘ଦି ଇଅର୍‌ ସି ଡିସାପିଅର୍ଡ’ ଗତ ସପ୍ତାହରେ ଉନ୍ମୋଚିତ ହୋଇଛି । ସଂଗ୍ରାମ ତାଙ୍କର ଏହି ନୂଆ ବହି ପାଇଁ ଖୁସି ବ୍ୟକ୍ତ କରିବା ସହ ଟାଇମପାସର ନିର୍ଦ୍ଦେଶକ ସରୋଜ ବଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ନିଜ ବହିଟି ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

Share