ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା ଦେଖିବାକୁ ମିଳିଛି। ଏହା ଦ୍ୱାରା ସେହିରାସ୍ତା ଦେଇ ଯାତାୟାତ କରୁଥିବା ବାଇକ ଆରୋହୀଙ୍କ ବାଲିରେ ଚକା ସ୍ଲିପ୍‌ ହୋଇ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏନେଇ ବାଇକ୍‌ ଆରୋହୀ ଜଣକ ଖଣ୍ଡିଆ ଖାବରା ହୋଇ ନିରାଶରେ ଘରକୁ ଫେରୁଛନ୍ତି। କାହାକୁ କହିବେ ଓ ଗୁହାରି କିଏ ଶୁଣିବ। ଖୋଦ ଗଞ୍ଜାମ ଥାନାଠାରୁ କିଛି ଦୂରରେ ଏଭଳି ଦୈନନ୍ଦିନ ବାଲି ଶୁଖା ଯାଉଥିଲେ ମଧ୍ୟ ତାଗିଦ କରାଯାଉନି। ବୁଧବାର ପୂର୍ବାହ୍ନରେ ସାଇକେଲରେ ଯାଉଥିବା ଜଣେ ଛାତ୍ରଙ୍କର ଚକା ସ୍ଲିପ୍‌ ହୋଇଯିବାରୁ ତଳେ ପଡି ଗୁରୁତର ହୋଇଛନ୍ତି। ଅନ୍ୟପଟେ ଆଉ ଜଣେ ଛାତ୍ର ବାଲି ଥିବାରୁ ରୋଡ୍‌ ମଝିରେ ସାଇକେଲରେ ଯାଉଥିବା ବେଳେ ହଠାତ୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ଜଣେ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share