କଲମ୍ବୋ,୧।୩: ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା କ୍ରିକେଟ ଦଳର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ପରେ, ଦଳର ମୁଖ୍ୟ କୋଚ୍ ସନଥ ଜୟସୂରିୟା ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସହ-ଆୟୋଜକ ଶ୍ରୀଲଙ୍କା ସୁପର-୮ ରାଉଣ୍ଡର ସମସ୍ତ ମ୍ୟାଚ୍ରେ ପରାଜିତ ହୋଇ ବିଶ୍ୱକପରୁ ବାଦ ପଡ଼ିଛି।
ଗ୍ରୁପ ପର୍ଯ୍ୟାୟରେ ଜିମ୍ବାୱେ ଠାରୁ ହାରିଥିବା ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଓମାନ ଏବଂ ଆୟର୍ଲାଣ୍ଡ ବିରୋଧରେ ବିଜୟୀ ହୋଇଥିଲା। କିନ୍ତୁ ସୁପର-୮ ରାଉଣ୍ଡରେ ଦଳ ନିଜର ସମସ୍ତ ମୁକାବିଲାରେ ପରାଜିତ ହୋଇଛି। ଶନିବାର ପାକିସ୍ତାନ ବିରୋଧରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ଦଳ ମାତ୍ର ୫ ରନ୍ରେ ପରାଜିତ ହୋଇଥିଲା। ଦଳ ଅଧିନାୟକ ଦାସୁନ ଶନାକା ଏବଂ ପବନ ରଥନାୟକଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଦଳ ବିଜୟୀ ହୋଇପାରି ନ ଥିଲା।
ପାକିସ୍ତାନ ଠାରୁ ହାରିବା ପରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଜୟସୂରିୟା କହିଛନ୍ତି, “ମୋର ଚୁକ୍ତି ଜୁନ ମାସରେ ଶେଷ ହେଉଛି, କିନ୍ତୁ ମୁଁ ତା’ ପୂର୍ବରୁ ଇସ୍ତଫା ଦେବି। ଏ ନେଇ ମୁଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସହ ଆଲୋଚନା କରିବି।” ଦଳର ପ୍ରଦର୍ଶନ ପାଇଁ ଦୁଃଖ ପ୍ରକାଶ କରି ସେ କହିଛନ୍ତି, “ଆମେ ଆହୁରି ଭଲ ପ୍ରଦର୍ଶନ କରିପାରିଥାନ୍ତୁ। ମୁଁ ପ୍ରଶଂସକମାନଙ୍କୁ କ୍ଷମା ମାଗୁଛି।”
ଜୟସୂରିୟା ଦଳର ବିଫଳତା ପାଇଁ ବ୍ୟାଟ୍ସମ୍ୟାନ ଏବଂ ବୋଲରଙ୍କ ପ୍ରଦର୍ଶନରେ ନିରନ୍ତରତାର ଅଭାବକୁ ଦାୟୀ କରିଛନ୍ତି। ଏହାସହ ଦଳର ପ୍ରମୁଖ ଖେଳାଳି ଯଥା ବାନିନ୍ଦୁ ହସରଙ୍ଗା, ମଥିଶା ପଥିରାନା ଏବଂ କୁସାଲ ମେଣ୍ଡିସ୍ଙ୍କ ଆହତ ସମସ୍ୟା ଦଳକୁ ବହୁତ କ୍ଷତି ପହଞ୍ଚାଇଛି ବୋଲି ସେ କହିଛନ୍ତି। “ହସରଙ୍ଗା ମୋର ସବୁଠାରୁ ଭଲ ଖେଳାଳି ଥିଲେ, ତାଙ୍କର ବିକଳ୍ପ ଖୋଜିବା ସହଜ ନୁହେଁ,” ବୋଲି ସେ ମତ ଦେଇଛନ୍ତି।

