ଭିତରକନିକାରେ ବାର୍ଡଫ୍ଲୁ ଆଶଙ୍କା ନେଇ ସାମ୍ପୁଲ ସଂଗ୍ରହ

ରାଜନଗର, ୫ା୧୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ଭିତରକନିକା ଜାତୀୟ ଉଦ୍ୟାନ ସୀମା ସରହଦରେ ଥିବା ସାତଭାୟାର ବିସ୍ତୀର୍ଣ୍ଣ ଜଳରାଶି ସହ ବଙ୍ଗୋପସାଗର ତଟବର୍ତ୍ତୀ ରାଇପାଟିଆ ସମେତ ବିଭିନ୍ନ ଆର୍ଦ୍ରଭୂମି ଅଞ୍ଚଳରେ ବିଦେଶାଗତ ପକ୍ଷୀମାନଙ୍କ ସମାଗମ ଆରମ୍ଭ ହୋଇଛି। ସୁଦୂର ଫ୍ରାନ୍ସ, ସାଇବେରିଆ, ମଙ୍ଗୋଲିଆ, ମାଲେସିଆ ସମେତ ହିମାଳୟ ପାଦଦେଶରେ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବାକୁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଯୋଜନ ଯୋଜନ ଆକାଶ ପଥ ଅତିକ୍ରମ କରି ଏଠାରେ ଜଳକ୍ରୀଡା କରିବାର ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ବିମୋହିତ କରୁଛି। କିଛିବର୍ଷ ହେଲା ଶୀତଋତୁରେ ଚିଲିକା ଓ ଭିତରକନିକାକୁ ଆସୁଥିବା ବିଦେଶାଗତ ପକ୍ଷୀ ଏବଂ ଏଠାରେ ସ୍ଥାୟୀ ଭାବେ ବସବାସ କରୁଥିବା ଦେଶୀୟ ପକ୍ଷୀମାନଙ୍କ ମଧ୍ୟରେ ମିଳାମିଶା ଯୋଗୁ ବାର୍ଡ ଫ୍ଲୁ ଆଶଙ୍କା ଦେଖାଦେଇଛି। ଏହାକୁ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରିଣୀ ଦୀପ୍ତି ମହାପାତ୍ରଙ୍କ ନେତୃତ୍ୱରେ ରାଜନଗର ପ୍ରାଣୀ ଚିକିତ୍ସାଧିକାରୀ ଡା. କିଶୋର କୁମାର ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରକାଶ କୁମାର ଜେନା, ପିନାକ ରାଉତ ପ୍ରମୁଖ ଭିତରକନିକା ସୀମା ସରହଦରେ ଥିବା ସ୍ଥାନଗୁଡିକରୁ ମାଟି, ପକ୍ଷୀମାନଙ୍କ ମଳ, ଲାଳ ପ୍ରଭୃତି ୩୦ ନମୁନା ସଂଗ୍ରହ କରି ନଖରାସ୍ଥିତ ପ୍ରାଣୀ ଗବେଷଣା କେନ୍ଦ୍ରକୁ ପରୀକ୍ଷା ନିମନ୍ତେ ପଠାଯାଇଥିବା ନେଇ ଡା. ସାହୁ ସୂଚନା ଦେଇଛନ୍ତି।