ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ମୁରୀବାହାଲ ବ୍ଲକ ସମ୍ମୁଖରେ। ନିର୍ବାଚିତ ପ୍ରତିନିଧି ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଅନେକ ଥର ସମିତି ସଭ୍ୟ ବୈଠକରେ ନିଜ ଅଞ୍ଚଳରେ ପାଣି ସମସ୍ୟା କଥା ଉଠାଇଛନ୍ତି। ବାରମ୍ବାର ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ହେଲେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ତାଙ୍କ କଥା କେହି କର୍ଣ୍ଣପାତ କରିନଥିଲେ । ପରିଶେଷରେ ଆନ୍ଦୋଳନର ପନ୍ଥା ଗ୍ରହଣ କରିଛନ୍ତି। ତେବେ ଏହି ଆନ୍ଦୋଳନକୁ ସମର୍ଥନ କରି ମୁରୀବାହାଲ ଗାଁର ମହିଳାମାନେ ରାସ୍ତା ଉପରେ ଗରିଆ, ବାଲଟି ରଖି ମୁରୀବାହାଲ – ବଙ୍ଗୋମୁଣ୍ଡା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ମୁରିବାହାଲ ପୋଲିସ ଆନ୍ଦୋଳନସ୍ଥଳକୁ ପହଞ୍ଚି ବୁଝାସୁଝା କରୁଥିବା ବେଳେ ଆନ୍ଦୋଳନକାରୀମାନେ ତାଙ୍କ ଅଞ୍ଚଳର ପାଣି ସମସ୍ୟା ସମାଧାନ କାରିବାକୁ ଦାବି କରିଛନ୍ତି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ନିଜ ଜିଦରେ ଅଟଳ ରହିଛନ୍ତି । ପୋଲିସ ଓ ବ୍ଲକ ପ୍ରସାଶନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।