ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ ଗୁରୁତର ହୋଇ ବର୍ତ୍ତମାନ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଅଭିଯୁକ୍ତ କୃପାସିନ୍ଧୁ ବାଗଙ୍କୁ ଅଟକ ରଖିଛି।
ଏହି ସମ୍ବନ୍ଧରେ ସୂଚନା ଦେଇ ଏଏସ୍ପି ଅଜୟ କୁମାର ମିଶ୍ର କହିଛନ୍ତି ଯେ, ଶୁକ୍ରବାର ପୂର୍ବାହ୍ନରେ ସମୟରେ ଅଭିଯୁକ୍ତ କୃପାସିନ୍ଧୁ ହଠାତ୍ ରାସାୟନିକ ବିଜ୍ଞାନ ବିଭାଗରେ ପଶି ପ୍ରଫେସର ସତ୍ୟନାରାୟଣ ସାହୁଙ୍କ ଅଫିସ କକ୍ଷରେ ପହଞ୍ଚି ତାଙ୍କ ଉପରେ ଏକ ଛୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ପ୍ରଫେସର ସାହୁଙ୍କ ପେଟ ଏବଂ ଶରୀରର ବିଭିନ୍ନ ଅଂଶରେ ଗୁରୁତର ଆଘାତ ଲାଗିଛି।
ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ବୁର୍ଲାସ୍ଥିତ ଭୀମସାରରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ କୃପାସିନ୍ଧୁ ବାଗକୁ ଅଟକ ରଖିଛି। ଅଭିଯୁକ୍ତ ଜଣକ ଜଣେ ଅବସରପ୍ରାପ୍ତ ସୁଇପର୍ ଓ ତାଙ୍କର ଏଭଳି ଆଚରଣ ପୂର୍ବରୁ ମଧ୍ୟ ସନ୍ତୋଷଜନକ ନ ଥିଲା। ତେବେ ଛୁରାମାଡ଼ର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।