ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର,୨୪ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରାର ମୁଖ୍ୟ ଲୋକାଚାର ଭାବେ ରୀତିନୀତିରେ ମହାଦେବ ଓ ଜଗଜ୍ଜନନୀ ମା’ ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ ହୋଇଛି। ଗୁରୁବାର ବ୍ରାହ୍ମମୁହୂର୍ତ୍ତରେ ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସ୍ବମନ୍ଦିରରୁ ବୁଧବାର ରାତିରେ ମହାଦେବ ବରଯାତ୍ରୀ ସହ କନ୍ୟାଘରକୁ ଯାଇଥିଲେ। ବରଯାତ୍ରୀରେ ନିୟୁତା ପାଇ ଆସିଥିବା ଦେବଦେବୀ ମଧ୍ୟ ସାମିଲ ହୋଇଥିଲେ। କନ୍ୟାଘରେ ବେଲପତ୍ର, କୁଶରଜୁ ଓ ପଦ୍ମମାଳାରେ ହୋଇଥିବା ହସ୍ତବନ୍ଧନରେ କନ୍ୟା ମାତାପିତା ଜଳଦାନ କରିଥିଲେ। ପଣ୍ଡିତଙ୍କ ମହାମନ୍ତ୍ର ଉଚ୍ଚାରଣରେ ବିବାହ ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

ସହରର ସର୍ବପୁରାତନ ଶୈବପୀଠ ବାଲିବନ୍ଧାସ୍ଥିତ ସୋମନାଥ ବାବା, ନନ୍ଦପଡ଼ା ବମ୍‌ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ା ଲୋକନାଥ ବାବା, ମୁଦିପଡ଼ା ଜାଗେଶ୍ୱର ବାବା ସ୍ବମନ୍ଦିର ସମ୍ମୁଖରେ ସ୍ବର୍ଣ୍ଣ, ରୌପ୍ୟ, ଅଳଙ୍କାରରେ ଆଭୂଷଣ ହୋଇ ବରବେଶରେ ସଜ୍ଜିତ ହୋଇଥିଲେ। ପଣ୍ଡିତମାନେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ମହା ଆଳତି କରିଥିଲେ। ହରିବୋଲ ହୁଳହୁଳି ଓ ଶଙ୍ଖନାଦରେ ଶୈବପୀଠ ମୁଖରିତ ହୋଇଥିଲା। ରଙ୍ଗିନ ଆତସବାଜିରେ ମୁକ୍ତାକାଶ ଝଟକୁଥିଲା। ଭକ୍ତମାନେ ବିଭିନ୍ନ ଦେବଦେବୀଙ୍କ ବେଶରେ ସଜ୍ଜିତ ହୋଇ ମହାଦେବଙ୍କ ସହ ସାମିଲ ହୋଇଥିଲେ। ମଧ୍ୟରାତ୍ରିରେ ଭକ୍ତଙ୍କ କାନ୍ଧରେ ମହାଦେବ ବରାତିରେ ବାହାରିଥିଲେ। ଏଥିସହ ଐତିହାସିକ ଶୈବପୀଠ ବୁଢ଼ାରଜା ମହାଦେବ, ବଡ଼ବଜାର ଶୀତଳେଶ୍ୱର ବାବା, ଠାକୁରପଡ଼ା ଗୁପ୍ତେଶ୍ୱର ବାବା, ଦୁର୍ଗାପାଲି ଗୁଡ଼େଶ୍ୱର ବାବା, ସହର ଉପକଣ୍ଠ ମାନେଶ୍ୱର ମାନଧାତା ବାବା, ସିନ୍ଦୂରପଙ୍କ ମହାକାଳେଶ୍ୱର ବାବା ସୁନା ଓ ରୁପା ଅଳଙ୍କାରରେ ସଜେଇହୋଇ ବରାତିରେ ସହର ପରିକ୍ରମା କରିଥିଲେ। ବରାତି ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ଢୋଲକ, ଦୁଲଦୁଲି, ସମ୍ପଦା ଓ ଘୁମୁରା ବାଦ୍ୟରେ ରାଜରାସ୍ତା ପ୍ରକମ୍ପିତ ହୋଇଥିଲା। ରଙ୍ଗିନ ଆଲୋକମାଳାରେ ଝଟକୁଥିଲା ପାର୍ବତୀଙ୍କ ବାସଭବନ। ବାଜା, ରୋଶଣି, ରଙ୍ଗିନ ଆତସବାଜିରେ ପ୍ରକମ୍ପିତ ହେଉଥିଲା। ମହିଳାମାନେ ଦୂବ, ଅରୁଆ ଚାଉଳ, ବେଲପତ୍ରରେ ବନ୍ଦାଣ କରିବା ପରେ ମହାଦେବଙ୍କୁ ବିବାହ ମଣ୍ଡପକୁ ପାଛୋଟି ନେଇଥିଲେ। ମଧ୍ୟାହ୍ନରେ ପ୍ରସାଦ ସେବନ ସହ ଗୋଧୂଳି ଲଗ୍ନରେ କନ୍ୟା ବିଦାୟ କାର୍ଯ୍ୟକ୍ରମ ରହିଛି।