ନୂଆରୂପ ପାଇବ ସମ୍ବଲପୁର ରେଳ ଷ୍ଟେଶନ

ସମ୍ବଲପୁର,୨ା୨(ପ୍ରମୋଦ ବହିଦାର): ସମ୍ବଲପୁର ରେଳ ଷ୍ଟେଶନର ରୂପାନ୍ତରଣ ପ୍ରକଳ୍ପ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦିତ ହୋଇଛି। ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତ ଅବସରରେ ଏହାର ଶିଳାନ୍ୟାସ କରିବେ ବୋଲି ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ତୁଷାର କାନ୍ତି ପାଣ୍ଡେ ସୂଚନା ଦେଇଛନ୍ତି। ରେଳ ମଣ୍ଡଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପାଣ୍ଡେ କହିଛନ୍ତି, ପ୍ରଧାନମନ୍ତ୍ରୀ ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ମୋଟ ୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ। ସେଥିମଧ୍ୟରେ ସମ୍ବଲପୁର ରେଳଷ୍ଟେଶନର ନବୀକରଣ ପାଇଁ ଶିଳାନ୍ୟାସ, ସମ୍ବଲପୁର-ତାଳଚେର ପର୍ଯ୍ୟନ୍ତ ୧୫୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୨୬୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦୁଇଥାକିଆ ରେଳପଥ ଲୋକାର୍ପଣ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ସୋନପୁର-ଜାତର୍ଭା ମଧ୍ୟରେ ୨୧.୭ କିଲୋମିଟର ଦୈର୍ଘ୍ୟ ରେଳପଥ ଲୋକାର୍ପଣ ସହିତ ଏହି ରେଳପଥରେ ପ୍ରଥମ ରେଳସେବା ସ୍ବରୂପ ପୁରୀ-ବଲାଙ୍ଗୀର ମଧ୍ୟରେ ଏକ ସାପ୍ତାହିକ ଯାତ୍ରିବାହୀ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ଫଳରେ ସୋନପୁର ମାଟି ପ୍ରଥମଥର ପାଇଁ ଯାତ୍ରୀବାହୀ ଟ୍ରେନ ଦେଖିବ ବୋଲି କହିଛନ୍ତି।

ସମ୍ବଲପୁର ରେଳ ଷ୍ଟେଶନ ନବୀକରଣ ପାଇଁ ୩୪୭.୫୨ କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଏଥିରେ ରେଳଷ୍ଟେଶନର ଉଭୟ ପାର୍ଶ୍ୱର ବିକାଶ କରାଯାଇ ଯାତ୍ରୀଙ୍କ ପାଇଁ ପ୍ରବେଶ ସୁବିଧା କରାଯିବ। ଏହାବ୍ୟତୀତ ଉଭୟ ପାର୍ଶ୍ୱରେ ଟିକେଟ ଘରଠାରୁ ଆରମ୍ଭ କରି, ସମସ୍ତ ପ୍ଲାଟଫର୍ମକୁ ସଂଯୋଗୀକରଣ ଫୁଟ୍‌ ଓଭରବ୍ରିଜ, ଯାତ୍ରୀ ବିଶ୍ରାମ ଗୃହ, ପାର୍କିଂସ୍ଥଳ ଆଦି ନିର୍ମାଣ କରାଯିବ। ଏହାର ନିର୍ମାଣ ପାଇଁ ସମ୍ବଲପୁରସ୍ଥିତ ଭିସୁଟ୍‌ ଓ ଆଇଆଇଏମ୍‌ ବିଶେଷଜ୍ଞଙ୍କ ସହଯୋଗରେ ନକ୍ସା ପ୍ରସ୍ତୁତିଠାରୁ ଆରମ୍ଭ କରି ବୈଷୟିକ ସହାୟତା ନିଆଯାଇଥିବା ସେ ସୂଚନା ଦେଇଥିଲେ। ସେହିପରି ସମ୍ବଲପୁର, ଝାରସୁଗୁଡ଼ା ଓ ତାଳଚେରକୁ ନେଇ ଗଠିତ ଶିଳ୍ପ କରିଡରର ବିକାଶକୁ ଦୃଷ୍ଟିରେ ରଖି ସମ୍ବଲପୁର-ଅନୁଗୋଳ ମଧ୍ୟରେ ୧୫୬ କିଲୋମିଟର ରେଳଲାଇନ୍‌ର ଦୋହରୀକରଣ କରାଯାଇଛି। ଏହାଦ୍ୱାରା ଉକ୍ତ ଅଞ୍ଚଳରେ ଥିବା ବୃହତ୍‌ ଶିଳ୍ପାନୁଷ୍ଠାନଗୁଡ଼ିକ ମାଲ ପରିବହନଠାରୁ ଆରମ୍ଭ କରି ଗମନାଗମନର ସୁବିଧା ପାଇବେ ବୋଲି ପାଣ୍ଡେ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ରେଳ ମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂ, ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ଗାରିମା ତିୱାରୀ ଉପସ୍ଥିତ ଥିଲେ।