ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା ପୋଲିସର ତତ୍ପରତା ଯୋଗୁଁ ବିଭିନ୍ନ ସାଇବର ଠକେଇ ମାମଲାରେ ପ୍ରାୟ ୪୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି ଅର୍ଥରାଶି ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଥିବା ଜଣାପଡ଼ିଛି।
ସମ୍ବଲପୁର ପୋଲିସ ମୁଖ୍ୟାଳୟରେ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍ପି ମୁକେଶ କୁମାର ଭାମୁ ଏନେଇ ସୂଚନା ଦେଇଥିଲେ। ଓଡ଼ିଶା ପୋଲିସ ସାଇବର ସଚେତନତା ଓ ସାଇବର ଅପରାଧର ତଦନ୍ତକୁ ଗୁରୁତ୍ୱ ଦେଉଛି ବୋଲି ସେ କହିଥିଲେ। ଆଧୁନିକ ତଦନ୍ତ ପ୍ରଣାଳୀରେ ପୋଲିସ ଅଧିକାରୀମାନଙ୍କୁ ତାଲିମ ଦିଆଯାଉଥିବାରୁ ସାଇବର ଠକେଇ ମାମଲାରେ ତ୍ୱରିତ ପଦକ୍ଷେପ ନିଆଯାଇପାରୁଛି।
ପୋଲିସ ପକ୍ଷରୁ ସନ୍ଦିଗ୍ଧ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରି ବ୍ଲକ୍ କରାଯାଇଥିଲା। ପରେ ଆଇନଗତ ଓ କୋର୍ଟ ପ୍ରକ୍ରିୟା ମାଧ୍ୟମରେ ଠକେଇ ଟଙ୍କା ଉଦ୍ଧାର କରାଯାଇ ଫେରାଇ ଦିଆଯାଇଛି।
ଏହି କ୍ରମରେ ସାଇବର ଠକେଇର ଶିକାର ହୋଇଥିବା ଶ୍ୟାମ ଦୋରାଙ୍କୁ ସମ୍ପୂର୍ଣ୍ଣ ୧୨ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି। ସେହିପରି ୨୬ ଲକ୍ଷ ଟଙ୍କା ହରାଇଥିବା ମାନସ କୁମାର ମୁଖୋପାଧ୍ୟାୟଙ୍କୁ ୧୨.୫ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି। ୮୫ ଲକ୍ଷ ଟଙ୍କାର ଠକେଇର ଶିକାର ରମେଶ ଚନ୍ଦ୍ର ବିଶ୍ୱାଳଙ୍କୁ ୧୬ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ, ୨୬ ଲକ୍ଷ ଟଙ୍କା ହରାଇଥିବା ଅଜୟ ମିଞ୍ଜଙ୍କୁ ୪.୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ ତାଙ୍କର ଆଉ ୧୨ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ହୋଲ୍ଡ ହୋଇ ରହିଛି। ଆଇନଗତ ପ୍ରକ୍ରିୟା ପରେ ଏହି ଟଙ୍କା ମଧ୍ୟ ମିଳିଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଖବରଦାତା ସମ୍ମିଳନୀରେ ଏସ୍ପି ମୁକେଶ କୁମାର ଭାମୁ ଜନସାଧାରଣଙ୍କୁ ସାଇବର ଠକେଇ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଅଜଣା ଲିଙ୍କ୍ରେ କ୍ଲିକ୍ ନ କରିବା, ପାସ୍ୱାର୍ଡ ଓ ଓଟିପି କାହାକୁ ନ ଦେବା ସହ କମ୍ ସମୟରେ ଅଧିକ ଲାଭର ଲୋଭ ଦେଖାଉଥିବା ନକଲି ବିନିଯୋଗ ଯୋଜନାଠାରୁ ଦୂରେଇ ରହିବାକୁ ସେ ଆହ୍ୱାନ ଦେଇଥିଲେ।
ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି ସାଇବର ହେଲ୍ପଲାଇନ୍ ୧୯୩୦ରେ ଯୋଗାଯୋଗ କରିବା କିମ୍ବା ନିକଟସ୍ଥ ପୋଲିସ ଥାନାରେ ଅଭିଯୋଗ କରିବାକୁ ଏସ୍ପି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।