ଟୋପି, ଚଷମା ଏବଂ ମାସ୍କ… ମୁହଁ ଲୁଚାଇ ଆତ୍ମସମର୍ପଣ କରିବାକୁ କୋର୍ଟରେ ପହଞ୍ଚିଲେ ଟ୍ବିଶାଙ୍କ ସ୍ବାମୀ ସମର୍ଥ

ଜବଲପୁର,୨୨।୫: ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ସ୍ୱାମୀ ସମର୍ଥ ସିଂହ ଶୁକ୍ରବାର ଦିନ ମୁହଁ ଲୁଚାଇ ଜବଲପୁର ଜିଲା କୋର୍ଟରେ ପହଞ୍ଚିଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ସମର୍ଥ ସିଂହ ମାସ୍କ ପିନ୍ଧି ଜିଲା କୋର୍ଟରେ ଆତ୍ମସମର୍ପଣ (ସରେଣ୍ଡର) କରିବାକୁ ପହଞ୍ଚିଥିଲେ। ଏହି ସମୟରେ ଅଦାଲତ ପରିସରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ଏବଂ ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଥିଲା। କୋର୍ଟ ପରିସରରେ ବହୁ ସଂଖ୍ୟାରେ ଖବରଦାତା ଏବଂ ଓକିଲ ଉପସ୍ଥିତ ଅଛନ୍ତି।

କୁହାଯାଉଛି ଯେ, ସମର୍ଥ  କୋର୍ଟ ନମ୍ବର ୩୨ କୃଷ୍ଣମୂର୍ତ୍ତି ମିଶ୍ରଙ୍କ ଅଦାଲତରେ ଆତ୍ମସମର୍ପଣ କରିବାକୁ ପହଞ୍ଚିଛନ୍ତି। ତେବେ ସମର୍ଥ ସିଂହ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣ କରିଛନ୍ତି କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସମର୍ଥ ସିଂହ ଜବଲପୁର ଜିଲା କୋର୍ଟରେ ପହଞ୍ଚିବା ମାତ୍ରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସମୟରେ ଓକିଲମାନେ ଖବରଦାତାମାନଙ୍କ ସହ ଧସ୍ତାଧସ୍ତି କରିଥିବା ଅଭିଯୋଗ ହୋଇଛି। ସମର୍ଥ ସିଂହଙ୍କ କଭରେଜ୍ କରିବାରୁ ଖବରଦାତାମାନଙ୍କୁ ଓକିଲମାନେ କ୍ରମାଗତ ଭାବେ ବାରଣ କରୁଛନ୍ତି। କୋର୍ଟ ଭିତରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ପାଇଁ ଅନୁମତି ନାହିଁ ବୋଲି ଓକିଲମାନେ କହିଛନ୍ତି।

ସମର୍ଥ  ପୂର୍ବରୁ ଜବଲପୁର ହାଇକୋର୍ଟରେ ଅଗ୍ରିମ ଜାମିନ ଆବେଦନ କରିଥିଲେ। ତେବେ ପରେ ସେ ଏହି ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାପୂର୍ବରୁ ତଳ କୋର୍ଟରୁ ତାଙ୍କୁ ସେତେବେଳେ ବଡ଼ ଝଟକା ଲାଗିଥିଲା, ଯେତେବେଳେ ତାଙ୍କ ଜାମିନ ନାକଚ ହୋଇଯାଇଥିଲା। ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଫେରାର ଥିବା ସମର୍ଥ ସିଂହଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ୩୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏହାସହ ତାଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ଏସବୁ ସତ୍ତ୍ୱେ ଶୁକ୍ରବାର ଦିନ ସମର୍ଥ ସିଂହ ନିଜେ ଜବଲପୁର କୋର୍ଟରେ ପହଞ୍ଚିଛନ୍ତି।

Dharitri – Odisha’s No.1 Odia Daily