ବର୍ଦ୍ଧିତ ବସ୍‌ଭଡ଼ା କମାଇବା ପାଇଁ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,୧୯।୪ (ବ୍ୟୁରୋ): ପେଟ୍ରୋଲ୍‌ ଡିଜେଲ୍‌ ଦାମ ବୃଦ୍ଧି ଯୋଗୁଁ ମାର୍ଚ୍ଚ ୩୧ ତାରିଖ ଦିନ ରାଜ୍ୟ ସରକାର ସ୍ବୟଂଚାଳିତ ପ୍ରକ୍ରିୟା ଜରିଆରେ ବସ୍‌ ଭଡ଼ା ବୃଦ୍ଧି କରିଥିଲେ। କିନ୍ତୁ ବିଗତ ୧୨ ଦିନ ଧରି ତେଲ ଦରରେ ବୃଦ୍ଧି ଘଟି ନଥିଲେ ମଧ୍ୟ ରାଜ୍ୟ ସରକାର ପୁନଶ୍ଚ ସୋମବାରଠାରୁ କିପରି ବସ୍‌ଭଡ଼ା ବୃଦ୍ଧି କରିଛନ୍ତି ବୋଲି ସମାଜବାଦୀ ପାର୍ଟି ପ୍ରଶ୍ନ କରିଛି। ଏନେଇ ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ରବି ବେହେରା କହିଛନ୍ତି, ଦେଶରେ ଅନ୍ୟ କୌଣସି ରାଜ୍ୟରେ ବିଗତ ୧୫ ଦିନ ଭିତରେ ଦୁଇଦୁଇ ଥର ବସ ବଢିନଥିଲେ ହେଁ ବସ୍‌ ମାଲିକଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ଓଡ଼ିଶା ସରକାର ବସଭଡ଼ା ପୁନଶ୍ଚ ବୃଦ୍ଧି କରିବା ଅଯୌକ୍ତିକ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନବିରୋଧ ନୀତି ଯୋଗୁଁ ଦିନକୁ ଦିନ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବଢିବାରେ ଲାଗିଛି । ପୁନଶ୍ଚ ବସ୍‌ ଭଡ଼ା ବୃଦ୍ଧି ହେବା ଫଳରେ ଏହାର ପ୍ରଭାବ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେବ। ମାଲଭଡ଼ା, ଅଟୋ, ଟ୍ୟାକ୍ସିଭଡ଼ା ସମେତ ଖାଦ୍ୟ ପଦାର୍ଥର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ। ତେଣୁ ଏହି ବସ୍‌ଭଡ଼ା ବୃଦ୍ଧି ଜନବିରୋଧୀ ଏବଂ ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର ନ ହେଲେ ସମାଜବାଦୀ ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ବେହେରା ସତର୍କ କରାଇଛନ୍ତି।