ଥୁଆମୂଳ ରାମପୁର, ୨୩।୫(ଦୁର୍ଗା କୀର୍ତ୍ତି): ସାଧାରଣ ଜନତାଙ୍କୁ ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ କୋର୍ଟ)ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ ଆଗାମୀ ଅଗଷ୍ଟ ମାସରେ ଆୟୋଜିତ ହେବାକୁ ଯାଉଛି ବିଶେଷ ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’। ଏହି ବୃହତ ଆଇନ ସେବା ଶିବିରର ସଫଳ ପରିଚାଳନା ନେଇ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ସ୍ଥାନୀୟ କୋର୍ଟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ ବ୍ରିଫିଂ ଓ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ସ୍ଥାନୀୟ ନ୍ୟାୟାଳୟର ବିଚାରପତି (ଜେ.ଏମ୍.ଏଫ.ସି) ଡ଼ଃ ତାରିଣୀ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ‘ମା ମାଣିକେଶ୍ୱରୀ ପ୍ରିଣ୍ଟ ମିଡିଆ ଖବରଦାତା ସଂଘ’ର ସଦସ୍ୟ ଏବଂ ସ୍ଥାନୀୟ ଓକିଲ ସଂଘର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
ବୈଠକରେ ଅଧ୍ୟକ୍ଷ ଡ଼ଃ ତାରିଣୀ ପ୍ରସାଦ ସାହୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ଅଗଷ୍ଟ ୨୧, ୨୨ ଏବଂ ୨୩ ତାରିଖ (ତିନି ଦିନ) ବ୍ୟାପୀ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ‘ସମାଧାନ ସମାରୋହ-୨୦୨୬’ ଅନୁଷ୍ଠିତ ହେବ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ଏବଂ ଦୀର୍ଘଦିନ ଧରି ସମାଧାନ ହୋଇପାରୁ ନଥିବା ବିଭିନ୍ନ ବର୍ଗର ପ୍ରାୟ ୧୨ ପ୍ରକାର ମାମଲାଗୁଡ଼ିକୁ ଆପୋସ ସହମତି ଓ ମଧ୍ୟସ୍ଥତା ଜରିଆରେ ସବୁଦିନ ପାଇଁ ଫଇସଲା କରାଯାଇ ନ୍ୟାୟାଳୟର ସାଧାରଣ ଭାର ହ୍ରାସ କରିବା ଏହି ସମାରୋହର ମୂଳ ଉଦ୍ଦେଶ୍ୟ।
ଏହି ବିଶେଷ ଲୋକ ଅଦାଲତରେ ମୁଖ୍ୟତଃ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆବେଦନ କରାଯାଇପାରିବ:
* ବ୍ୟାଙ୍କିଙ୍ଗ୍ ଓ ଋଣ ସଂକ୍ରାନ୍ତୀୟ ମାମଲା।
* କ୍ଷତିପୂରଣ ଜନିତ ଏବଂ ଚାକିରୀ ସମ୍ବନ୍ଧୀୟ ବିବାଦ।
* ଶ୍ରମ ଏବଂ ଶିଳ୍ପ ସଂକ୍ରାନ୍ତୀୟ ସମସ୍ୟା।
* ପାରିବାରିକ ବିବାଦ, ଦେଓ୍ବାନୀ ଏବଂ ସମ୍ପତ୍ତିକର ମାମଲା।
* ଉପଭୋକ୍ତା ବିବାଦ, ଭଡ଼ା ଓ ଉଚ୍ଛେଦ ଏବଂ ସ୍ଥାନାନ୍ତରଣ ଆବେଦନ।
ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ର ସହଯୋଗରେ ସମାଜର ବିଭିନ୍ନ କ୍ଷେତ୍ର ଯଥା- ସାମାଜିକ କାର୍ଯ୍ୟ, ଶିକ୍ଷା, ଆଇନ, କୃଷି, ପାରାଲିଗାଲ ସେବା, ରିଅଲ୍ ଏଷ୍ଟେଟ୍ ତଥା ଅନ୍ୟାନ୍ୟ ସେବାକ୍ଷେତ୍ର ସହ ଜଡ଼ିତ ଇଚ୍ଛୁକ ବ୍ୟକ୍ତିବିଶେଷ, ବିଶେଷକରି ମହିଳା ଓ ଯୁବପିଢ଼ୀଙ୍କୁ ଏହି ଜନହିତକାରୀ କାର୍ଯ୍ୟରେ ସ୍ୱୟଂସେବୀ (Volunteer) ଭାବେ ସାମିଲ ହେବାକୁ ଆହ୍ୱାନ କରାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ ଜାରି କରାଯାଇଥିବା ସ୍ୱତନ୍ତ୍ର ଗୁଗୁଲ୍ ଫର୍ମ ଲିଙ୍କ୍ https://forms.gle/jqxefqFBCWzukoP6 ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ।
ଜନସାଧାରଣ ଏହି ସମାଧାନ ସମାରୋହର ସମ୍ପୂର୍ଣ୍ଣ ଲାଭ ଉଠାଇବା ସହ ଯେକୌଣସି ଦେୟମୁକ୍ତ ଆଇନଗତ ସହାୟତା ପାଇଁ ନାଲସା (NALSA) ହେଲ୍ପଲାଇନ୍ ନମ୍ବର ୧୫୧୦୦ (15100) କିମ୍ବା ଭବାନୀପାଟଣାସ୍ଥିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟର ଫୋନ୍ ନମ୍ବର ୦୬୬୭୦-୨୩୦୦୫୭ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
ଏହି ସମୀକ୍ଷା ଓ ପ୍ରସ୍ତୁତି ବୈଠକରେ ଥୁଆମୂଳ ରାମପୁର ଓକିଲ ସଂଘର ସଭାପତି ମନୋରଞ୍ଜନ ନାଏକ, ସମ୍ପାଦକ ଦିଲ୍ଲୀପ ନାଏକ ଏବଂ ତାଲୁକ ଆଇନ ସେବା ସମିତିର ସଂଯୋଜକ ଜିମି ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମା ମାଣିକେଶ୍ବରୀ ପ୍ରିଣ୍ଟ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ଖବରଦାତା ବଳଭଦ୍ର ବାଗ, ପ୍ରଦୀପ କୁମାର ପଣ୍ଡା, କୈଳାସ ଛତ୍ରିଆ, କୀର୍ତ୍ତି ଚନ୍ଦ୍ର ଦୁର୍ଗା, ବୀର ବଜ୍ରଙ୍ଗ ନାଏକ ଓ ଅଙ୍ଗଦ ନାଏକ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ଜରିଆରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ସଂକଳ୍ପ ପ୍ରକାଶ କରିଥିଲେ।