ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ ଦଳର ଆଭିମୁଖ୍ୟକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ସାଲୁଜାଙ୍କ କହିବା ଅନୁଯାୟୀ, ବିଜେଡିର ଭାଜପା ସହ ରହିବାର ଅଭ୍ୟାସ ରହିଛି। ମଙ୍ଗଳବାର ବିଜେଡିର ସାଂସଦ ଦିଲ୍ଲୀରେ ଇଣ୍ଡି ମେଣ୍ଟକୁ ସମର୍ଥନ କରିଥିବା ସେ କହିଛନ୍ତି। ଏହାପରେ ଆଜି ସକାଳେ ଇଣ୍ଡି ମେଣ୍ଟ ପକ୍ଷରୁ ଆହ୍ୱାନ ଦିଆଯାଇଥିବା ଆସନ୍ତାକାଲିର ଓଡ଼ିଶା ବନ୍ଦକୁ ବିଜେଡି ସମର୍ଥନ କରିବ ବୋଲି କହିଥିବା ନେଇ ସେ ଦାବି କରିଛନ୍ତି।
ତେବେ ପରେ ପୁଣି ବିଜେଡି ଓଡ଼ିଶା ବନ୍ଦକୁ ସମର୍ଥନ କରିବ ନାହିଁ ବୋଲି କହିଥିବା ସାଲୁଜା ଅଭିଯୋଗ କରିଛନ୍ତି। ଏହା ପଛରେ ଭାଜପା ର ଚାପ ରହିଥିବା ସେ ଦାବି କରିଛନ୍ତି।
ସାଲୁଜା କଟାକ୍ଷ କରି କହିଛନ୍ତି, ‘ଦିଲ୍ଲୀରୁ ଫୋନ୍ ଆସିଲା, ଡରିଗଲେ।’ ବିଜେଡି ଦୋମୁହାଁ ନୀତି ଆପଣାଉଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଥିବା ସାଲୁଜାଙ୍କ ବୟାନରୁ ସ୍ପଷ୍ଟ ହୋଇଛି।