ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବେ ସାଲୁଗା ପ୍ରଧାନ

ଭୁବନେଶ୍ୱର,୨୧ା୧୧(ଅନିଲ ଦାସ):ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ଉପବାଚସ୍ପତି ନିର୍ବାଚନ ପାଇଁ ସେ ସୋମବାର ପୂର୍ବାହ୍ନରେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତ ନଭେମ୍ବର ୮ରେ ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଉପବାଚସ୍ପତି ପଦ ଖାଲିପଡ଼ିଛି। ଏଥିପାଇଁ ମଙ୍ଗଳବାର ସକାଳ ୯ଟା ୩୦ରେ ନିର୍ବାଚନ ହେବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସମସ୍ତ ବିଧାୟକଙ୍କୁ ପୂର୍ବରୁ ଅବଗତ କରାଯାଇଛି। ଏହି ପଦ ପାଇଁ ଅନ୍ୟ କୌଣସି ପ୍ରାର୍ଥୀ ନ ଥିବାରୁ ସାଲୁଗା ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବେ। ସାଲୁଗା ଜି.ଉଦୟଗିରିରୁ ୨୦୦୦ ଓ ୨୦୧୯ରେ ୨ ଥର ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ। ନାମାଙ୍କନ ଦାଖଲ ପରେ ସାଲୁଗା ଗଣମାଧ୍ୟମକୁ କହିଛନ୍ତି, ଦଳର ସଭାପତି ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବରିଷ୍ଠ ସଦସ୍ୟଙ୍କ ମତାମତ ଓ ପରାମର୍ଶ ନେଇ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବି। ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି। ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।