ଜବରଦଖଲ ସରକାରୀ ଜମି ବିକ୍ରି

ପଟ୍ଟାମୁଣ୍ଡାଇ,୧୮ା୧୦(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବହୁ ମୂଲ୍ୟବାନ ସରକାରୀ ଜମି ବିଭିନ୍ନ ସାମାଜିକ ସଂସ୍ଥା ଆଳରେ ଜମି ବ୍ୟବସାୟୀମାନେ କବ୍‌ଜା କରି ନେଉଛନ୍ତି। ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସରକାରୀ ନିଷିଦ୍ଧାଞ୍ଚଳ ଫଳକକୁ ବି ଓପାଡ଼ି ଫୋପାଡ଼ି ଦେଉଛନ୍ତି। ସରକାରୀ ଜମିକୁ ଜବରଦଖଲ କଲା ପରେ ଘର କରି ବିକ୍ରି କରାଯାଉଛି। ରାସ୍ତା ଉପରେ ବି ଘର କରି ଭଡ଼ା ଲଗାଯାଉଛି। ଯିଏ ବି ପ୍ରତିବାଦ କରୁଛି ବିଭିନ୍ନ ପ୍ରକାର ଧମକ ଦିଆଯାଉଛି। ପ୍ରଶାସନ ପାଖରେ ସବୁ ଖବର ରହିଥିଲେ ମଧ୍ୟ ‘ଏହା ଓଡ଼ିଶା ସରକାରଙ୍କ ସମ୍ପତ୍ତି, ଅନାଧିକାର ପ୍ରବେଶ ଦଣ୍ଡନୀୟ’ ଫଳକ ଲେଖି ସରକାରୀ ବାବୁମାନେ ଚୁପ୍‌ ହୋଇ ବସି ପଡୁଛନ୍ତି। ପରିଣାମ ସ୍ବରୂପ ସରକାରୀ ଜମି ଶାଗମାଛ ଦରରେ ବିକ୍ରି ଚାଲିଛି। ଏ ନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀ, ବୃଦ୍ଧିଜୀବୀ, ରାଜନେତା, ସାମାଜିକ କର୍ମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଥିବା ବେଲତଳ, ପୋଖରିଆପଡା ଓ ଦକ୍ଷିଣୀଦିଆ ମୌଜାରେ ଏଭଳି ସମସ୍ୟା ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଲାଣି। ପଟ୍ଟାମୁଣ୍ଡାଇ ତହସିଲ ଓ ପୌରାଞ୍ଚଳର ଏହି ସରକାରୀ ଜମି ଜବରଦଖଲ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେତେଜଣ ବ୍ୟକ୍ତି ସରକାରୀ ଜାଗା ମାଡ଼ି ବସି ଘର କରି ତାହାକୁ ଭଡ଼ାରେ ଲଗାଉଛନ୍ତି। ଆଉ କିଏ ବିନା କାଗଜପତ୍ରରେ ମେଡିସିନ ଦୋକାନ କରିଛନ୍ତି। ଆଉ କିଛି ଲୋକ ଘର, ଜାଗା ବିକ୍ରି ବି କରି ଦେଇଛନ୍ତି। କେହି କେହି ସାମାଜିକ ଅନୁଷ୍ଠାନ ନାମରେ ସରକାରୀ ଜମି ଦଖଲ କରି ନେଉଛନ୍ତି। ଏଠାରେ କେତେଜଣ ବ୍ୟକ୍ତି ଇତିମଧ୍ୟରେ ରାସ୍ତାକୁ ବି କବ୍‌ଜା କରି ନେଲେଣି। ସେମାନଙ୍କ ଘରଗୁଡ଼ିକ ରାସ୍ତା ଉପରେ ନିର୍ମାଣ ହୋଇଛି, ଯେଉଁଥିପାଇଁ ଯିବା ଆସବା ସମୟରେ ରାସ୍ତା ଜାମ୍‌ ହେଉଛି। ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଯେଉଁଥିପାଇଁ ୨ ହଜାରରୁ ଅଧିକ ଲୋକ ଏବେ ଜବରଦଖଲ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏହି ସରକାରୀ ଜମି ଜବରଦଖଲରେ କେତେଜଣ ରାଜନେତା, ସ୍ଥାନୀୟ ପ୍ରଶାସନ ପ୍ରୋତ୍ସାହନ ରହିଛି ବୋଲି ଅଭିଯୋଗ ହେଉଛି।
ସରକାରୀ ଜମି ଚଞ୍ଚକତା କରି ହାତେଇ ନେଇଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କଠରୁ ଉଦ୍ଧାର କରିବା ଓ ପୋତା ଗୋବରୀ ନଦୀକୁ ପୁନରୁଦ୍ଧାର ପାଇଁ କେତେଜଣ ଜନସାଧାରଣଙ୍କ ସମସ୍ୟାକୁ ନେଇ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପିଏଲ୍‌ଭି ପ୍ରଫୁଲ୍ଲ ଦାଶ, କ୍ଷୀରୋଦ ମଲ୍ଲିକ, ଅଶୋକ ବଳ, ଦେବାଶିଷ ପଣ୍ଡା ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ନିକଟରେ ଏକ ଜନସ୍ବାର୍ଥ ସମ୍ବଳିତ ଅଭିଯୋଗ ୨୦୨୧ ଫେବୃୟାରୀ ୧୪ରେ ମାମଲା ଦାଏର କରିଥିଲେ। ନାଲସା କର୍ତ୍ତୃପକ୍ଷ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ)କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଆଇନ ସେବା ପ୍ରାଧିକରଣର ସଚିବ, ସମ୍ପାଦକ ତଥା ବିଚାରପତି କେସ ନଂ. ୧୦/୨୦୨୧ରେ ଏକ ମାମଲା ଦାଏର କରି ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜଳସମ୍ପଦ ବିଭାଗ ବଡବଡିଆଙ୍କ ଚାପରେ ଚେପା ହୋଇ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହିଁ। ସୂଚନାଯୋଗ୍ୟ, ବେଲତଳ ମୌଜାର ଖାତା ନଂ.୭୧୮, ଦକ୍ଷିଣଦିଆ ମଉଜାର ଖାତା ନଂ. ୨୫୩, ପଟ୍ଟାମୁଣ୍ଡାଇ ମୌଜାର ଖାତା ନଂ. ୧୧୦ ଓ ୨୫୫କୁ ୧୯୩୦ ମସିହାରେ ହୋଇଥିବା ବନ୍ଦୋବସ୍ତରେ ବ୍ୟାପକ ଚଞ୍ଚକତା କରାଯାଇ ବହୁ ମୂଲ୍ୟବାନ ସରକାରୀ ଜମି ହଡପ କରାଯାଇଛି। ଫଳରେ ବଜାର ରାସ୍ତା ସଂକୀର୍ଣ୍ଣ ହେବା ସହ ଯାତାୟାତରେ ଅସୁବିଧା ହେଉଛି। ପୋତି ହୋଇ ପଡିଥିବା ଗୋବରୀ ନଦୀ ଜାତୀୟ ସମ୍ପତ୍ତି ହୋଇଥିଲେ ମଧ୍ୟ ଜମିଦାରଙ୍କ ଗୁମାସ୍ତା ମାଖନ ଲାଲ ଓ ଜମିଦାରଙ୍କ ପୁଅମାନଙ୍କଠାରୁ ହାତ ଲେଖା ଆଣି କେତେଜଣ ଚତୁର ଲୋକ ତହସିଲ କାର୍ଯ୍ୟାଳୟରୁ ଲିଜ୍‌ ନେଇ ଭୋଗ ଦଖଲ କରିବା ସହ ବିକ୍ରି ପଟ୍ଟା କରି ନେଇଛନ୍ତି। ବିଶେଷକରି ପୋତା ନଈ ଗୋବରୀ ନଦୀ କିସମ ଥିବା ବେଳେ ଏହାକୁ ପୋତି ପକ୍କା ଘର ନିର୍ମାଣ କରାଯାଇଛି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଆଜି ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହଁି। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।