ଦାୟିତ୍ୱ ଓ ଦରମା

ଡ. ପ୍ରଫୁଲ୍ଲ କୁମାର ସାହୁ

ସାଧାରଣତଃ କୌଣସି ବ୍ୟବସ୍ଥା ଯେତେ ପୁରୁଣା ଓ ପାକଳ ହୁଏ, ସେତେ ଶିଷ୍ଟ ଓ ଦାୟିତ୍ୱସମ୍ପନ୍ନ ହୁଏ ତା’ର କାର୍ଯ୍ୟଧାରା ଓ ବ୍ୟବହାର। ଅଥଚ ବୟସ ବଢ଼ିବା ସହିତ ପୋଖତ ହେବା ପରିବର୍ତ୍ତେ ଦିନକୁ ଦିନ ବଢ଼ିଚାଲିଛି ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଦାୟିତ୍ୱହୀନତା। ବ୍ୟବସ୍ଥାପିକା ସଭା ବା ସଂସଦ ହେଉଛି ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର। ଲୋକଙ୍କ ଦ୍ବାରା ନିର୍ବାଚିତ ହେଉଥିବା ପ୍ରତିନିଧିମାନେ ହିଁ ସେ ମନ୍ଦିରର ପୂଜାରୀ ଏବଂ ସେମାନଙ୍କ ବିଚାରବୋଧ ଓ ବୌଦ୍ଧିକତା ଉପରେ ନିର୍ଭରକରେ ଶାସନର ସ୍ବଚ୍ଛତା ଓ କ୍ରିୟାଶୀଳତା। ମାତ୍ର ଦେଶବାସୀଙ୍କୁ ଆଜି ବିସ୍ମିତ କରିଛି ଲୋକପ୍ରତିନିଧିଙ୍କ ବିଶୃଙ୍ଖଳିତ ଆଚରଣ ଓ ସ୍ବାର୍ଥପରତା। ଗଣତନ୍ତ୍ର ମନ୍ଦିରରେ ବସି ବିଚାର ବିମର୍ଶ ପୂର୍ବକ ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ ଆଇନ ତିଆରି କରିବା ତଥା ଲୋକଙ୍କ ଅଭାବ ଅସୁବିଧା ଉପସ୍ଥାପନ କରିବା ଏମାନଙ୍କର ପ୍ରଧାନ କର୍ତ୍ତବ୍ୟ। ଆଇନ ତିଆରି କରିବା ଦାୟିତ୍ୱରେ ଥାଇ ଏମାନେ କିନ୍ତୁ ଅନେକ କ୍ଷେତ୍ରରେ ଆଇନ ଭାଙ୍ଗନ୍ତି ଓ ତାଙ୍କ ଦାୟିତ୍ୱହୀନ ଆଚରଣ ପାଇଁ ବେଳେବେଳେ ରଣକ୍ଷେତ୍ରରେ ପରିଣତ ହୁଏ ଗୃହ। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି କ୍ଷୋଭର ସହ ପ୍ରକାଶ କରିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ‘ଦୃଢ଼ ଗଣତନ୍ତ୍ର ପାଇଁ ନିର୍ବାଚନ ସଂସ୍କାର’(୮ା୧୨ା୨୦୧୬) ଶୀର୍ଷକ ଆଲୋଚନାଚକ୍ରରେ ବକ୍ତବ୍ୟ ରଖି ସେ କହିଥିଲେ, ସାଂସଦମାନେ ହଙ୍ଗାମା କରିବା ପାଇଁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇ ନାହାନ୍ତି କି ସେମାନଙ୍କ ଧାରଣା, ଧର୍ମଘଟ ଓ ନାରାବାଜି ପାଇଁ ପାର୍ଲାମେଣ୍ଟ ଉଦ୍ଦିଷ୍ଟ ନୁହେଁ।
ଦେଶ ସ୍ବାଧୀନ ହେବାର ପ୍ରାୟ ତିନି ଦଶନ୍ଧି ପର୍ଯ୍ୟନ୍ତ ପ୍ରତିନିଧି ସଭାର ବାତାବରଣ ଥିଲା ଖୁବ୍‌ ସୌହାର୍ଦ୍ଦ୍ୟପୂର୍ଣ୍ଣ। ସେତେବେଳେ ଯେଉଁମାନେ ସଂସଦ ବା ବିଧାନସଭାକୁ ନିର୍ବାଚିତ ହେଉଥିଲେ, ପ୍ରାୟତଃ ସମସ୍ତେ ଥିଲେ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧିବାଦୀ। କ୍ଷମତା ଆହରଣ ନୁହେଁ, ରାଜନୀତି ଥିଲା ସେମାନଙ୍କ ପାଇଁ ରାଷ୍ଟ୍ର ନିର୍ମାଣର ସଂକଳ୍ପ।
ଜନଗଣଙ୍କ ଶ୍ରଦ୍ଧା, ବିଶ୍ବାସ ଓ ନିର୍ଭରଶୀଳତା ଭିତରୁ ସେମାନେ ପାଉଥିଲେ ପ୍ରଚୁର ଶକ୍ତି, ଆନନ୍ଦ ଓ ଆତ୍ମସନ୍ତୋଷ। ଏମାନଙ୍କ ଗଭୀର ଜ୍ଞାନ ଓ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଯୋଗୁ ଗୃହରେ ଘଣ୍ଟାଘଣ୍ଟା ଧରି ଚାଲୁଥିଲା ଉଚ୍ଚସ୍ତରୀୟ ଚର୍ଚ୍ଚା। ରାମମୋହନ ଲୋହିଆ, ଇନ୍ଦ୍ରଜିତ୍‌ ଗୁପ୍ତା, ଚନ୍ଦ୍ରଶେଖର, ମଧୁଲିମାୟେ ଆଚାର୍ଯ୍ୟ କୃପାଳିନୀ, ସରୋଜିନୀ ନାଇଡୁ, ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ, ସୋମନାଥ ଚାଟାର୍ଜୀ ଓ ସୁଷମା ସ୍ବରାଜଙ୍କ ଭଳି ନେତାଙ୍କ ବକ୍ତବ୍ୟ ବେଳେ ଗୃହରେ ଖେଳି ଯାଉଥିଲା ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାତାବରଣ। ସେମାନଙ୍କ ବକ୍ତବ୍ୟ ଶୁଣିବା ପାଇଁ ଉତ୍ସୁକତା ଯୋଗୁ ଦର୍ଶକ ଗ୍ୟାଲେରିରେ ବି ଜମୁଥିଲା ଭିଡ଼। ବକ୍ତବ୍ୟରେ ବିଚକ୍ଷଣତା ଓ ପରିପକ୍ବତା ପ୍ରଦର୍ଶନ କରୁଥିବା ନେତାଙ୍କ ପ୍ରତି ସବୁଦଳ ସଦସ୍ୟଙ୍କର ଥିଲା ଯଥେଷ୍ଟ ସମ୍ମାନ ଓ ଆଦର। ଆଗେ ଆତ୍ମସମୀକ୍ଷା ଥିଲା ଜନପ୍ରତିନିଧିଙ୍କ ବ୍ୟକ୍ତିତ୍ୱର ଭୂଷଣ। ସେମାନେ ସମାଲୋଚନାକୁ ସ୍ବାଗତ କରୁଥିଲେ ଖୋଲାମନରେ।
ତା’ର ସବୁଠାରୁ ବଡ଼ ଦୃଷ୍ଟାନ୍ତ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ। ସେତେବେଳେ ଭାରତର ପ୍ରସିଦ୍ଧ ବ୍ୟଙ୍ଗଶିଳ୍ପୀ ଶଙ୍କର ଗୋଟିଏ ବ୍ୟଙ୍ଗ ପତ୍ରିକା ପ୍ରକାଶ କରୁଥିଲେ, ଯାହାର ନାମ ଥିଲା ‘ଶଙ୍କର ଉଇକ୍ଲି’। ଏହି ପତ୍ରିକାର ସମାଲୋଚନାରୁ ପ୍ରାୟତଃ ବାଦ୍‌ ପଡୁ ନ ଥିଲା କୌଣସି ନେତାଙ୍କ ଦୋଷତ୍ରୁଟି। ତାଙ୍କୁ ଉତ୍ସାହିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନେହେରୁ କହୁଥିଲେ ମୋତେ ବି ଛାଡ଼ିବନି ଶଙ୍କର। ଆଜି କାହିଁ ସେ ଗଣତାନ୍ତ୍ରିକ ବିଚାରଧାରା ଓ ଭିନ୍ନମତକୁ ସମ୍ମାନ ଦେବାର ପରମ୍ପରା ?
ଭାରତୀୟ ଗଣତନ୍ତ୍ର ସମାନତା,ସ୍ବାଧୀନତା ଓ ଆଇନର ଶାସନ ଉପରେ ପର୍ଯ୍ୟବସିତ ଏବଂ ତା’ର ଅନ୍ତଃସୌନ୍ଦର୍ଯ୍ୟ ହେଉଛି ନୀତି ଓ ଆଦର୍ଶ। ସେଥିପାଇଁ ଗଣତନ୍ତ୍ରକୁ କୁହାଯାଏ ଗୁଣତନ୍ତ୍ର। ମାତ୍ର ଆଦର୍ଶହୀନତାକୁ ନେଇ ଭାରତୀୟ ଗଣତନ୍ତ୍ର ଏବେ ଯେଉଁ ସ୍ତରରେ ପହଞ୍ଚିଲାଣି, ତାକୁ ଗୁଣତନ୍ତ୍ର ନ କହି ଖୁଣତନ୍ତ୍ର କହିବା ଅଧିକ ଯୁକ୍ତିଯୁକ୍ତ। କହିବାକୁ ଗଲେ ଭାରତୀୟ ଗଣତନ୍ତ୍ର ଏବେ ଖୁଣୀମାନଙ୍କର ଆଶ୍ରୟ ସ୍ଥଳ। ଖୁଣୀ ଆଉ କିଏ କି? କେବଳ ମଣିଷ ମାରୁଥିବା ଲୋକ ଖୁଣୀ ନୁହନ୍ତି। ଗଣତାନ୍ତ୍ରିକ ଆଦର୍ଶକୁ ଉଚ୍ଚାରଣରେ ଉଚ୍ଚାସନ ଦେଇ ଆଚରଣରେ ହତ୍ୟା କରୁଥିବା ନେତାମାନେ ବି ଜଣେ ଜଣେ ଖୁଣୀ। ଏମାନଙ୍କ ପାଇଁ ଭାରତୀୟ ଗଣତନ୍ତ୍ର ହରେଇ ସାରିଲାଣି ତା’ର ଶୁଚି ଓ ସୌନ୍ଦର୍ଯ୍ୟ। କ୍ୟାନ୍‌ସର ଜୀବାଣୁ ଭଳି ଗଣତନ୍ତ୍ରର ବିଭିନ୍ନ ଅଙ୍ଗକୁ ଅଖଞ୍ଜ କରିବାକୁ ବସିଲାଣି ଦୁର୍ନୀତି ଓ ଭ୍ରଷ୍ଟାଚାର।
ଆମ ସାଂସଦ ଓ ବିଧାୟକମାନେ ଏମିତି ଏକ ବର୍ଗର, ଯେଉଁମାନେ ନିଜେ ନିର୍ଦ୍ଧାରଣ କରନ୍ତି ନିଜର ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା। ଏମାନେ ନିଜର ଦରମା ଓ ହାତପାଣ୍ଠି ବୃଦ୍ଧି ପ୍ରସଙ୍ଗରେ ଗୃହରେ ପ୍ରଦର୍ଶନ କରନ୍ତି ଅଦ୍ଭୁତ ଏକତା। ହେଲେ ଲୋକଙ୍କ ସମସ୍ୟା ବେଳକୁ ପରସ୍ପର ଭିତରେ ଆରମ୍ଭ ହୋଇଯାଏ କାଦୁଅ ଫିଙ୍ଗାଫିଙ୍ଗି। ଚାଷୀର ଏମ୍‌ଏସ୍‌ପି କଥା ହେଉ କି ଦରଦାମ ପ୍ରସଙ୍ଗ ହେଉ, ବିତର୍କକୁ ଭଣ୍ଡୁର କରିବା ପାଇଁ ଗୃହରେ ଏମାନେ ଆରମ୍ଭ କରିଦିଅନ୍ତି ନାରାବାଜି, ପ୍ରତିବାଦ, ଧାରଣା, ହଙ୍ଗାମା, ମାଇକ ଭଙ୍ଗା, ଚୌକି ଫିଙ୍ଗା ଓ ମୁଥି ମରାମରି ଇତ୍ୟାଦି। ବିଶୃଙ୍ଖଳା ସୃଷ୍ଟି କରୁଥିବା ସଦସ୍ୟଙ୍କୁ ଆକଟ ନ କରି ସେମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରନ୍ତି ଦଳପତି।
ଆଗେ ଗୃହରେ ପ୍ରସ୍ତାବ ଆଣି ଏମାନେ ନିଜେ ନିଜର ଦରମା ବଢ଼ାଉଥିଲେ ବିନା ଆଲୋଚନାରେ। ଏବେ ଲୋକଙ୍କୁ ଭକୁଆ ବନେଇବା ପାଇଁ ଗଢ଼ାଯାଇଛି ଦରମାବଢ଼ା କମିଟି। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଧାୟକଙ୍କ ଦରମା ବଢ଼ିବା ଆବଶ୍ୟକ ବୋଲି କହି କମିଟି ସୁପାରିସ କରିଛି ଏବଂ ସେହି ଆଧାରରେ ଏବେ ବଢ଼ିବାକୁ ଯାଉଛି ଆମ ବିଧାୟଙ୍କ ଦରମା ଓ ଭତ୍ତା। ମାତ୍ର ପ୍ରଶ୍ନ ଉଠୁଛି ଦରଦାମ କ’ଣ କେବଳ ବିଧାୟକମାନଙ୍କୁ ବାଧୁଛି ? କୃଷି କ୍ଷେତ୍ରରେ ରାସାୟନିକ ସାର ଓ କୀଟନାଶକର ମୂଲ୍ୟ ତ ଏବେ ଆକାଶଛୁଆଁ। କାହିଁ, ଚାଷୀକୁ ଏମ୍‌ଏସ୍‌ପିରେ ବୋନସ ଦେବା କଥା ତ ଚିନ୍ତା କରୁନାହାନ୍ତି ସରକାର?
ବର୍ଷକୁ ଏଠି ଷାଠିଏ ଦିନ ବିଧାନସଭା ବସେନି କି ବିଧାୟକମାନେ ଉପସ୍ଥିତ ରହନ୍ତିନି ସବୁ କାର୍ଯ୍ୟ ଦିବସରେ। କେବଳ ଉପସ୍ଥାନ ଖାତାରେ ଦସ୍ତଖତ କରିଦେଲେ ସେମାନଙ୍କ ପକେଟକୁ ଆସିଯାଏ ଦୈନିକ ଭତ୍ତା। ଏମିତି ଅନେକ ବିଧାୟକ ଅଛନ୍ତି ଯିଏ କୌଣସି ବିତର୍କରେ ଭାଗ ନିଅନ୍ତି ନାହିଁ କି ପଚାରନ୍ତିନି କିଛି ପ୍ରଶ୍ନ। କିଏ ଗୃହରେ ଗୀତଗାଏ ତ କିଏ ଥଟ୍ଟାମଜା କରି ବିତେଇ ଦିଅନ୍ତି ସମୟ। ଭାବିଲେ ଦେଖି ଯେଉଁଠି ବିନା ଆଲୋଚନାରେ ବଜେଟ ପାରିତ ହୁଏ ଏବଂ ନିର୍ଦ୍ଧାରିତ ଦିବସ ପୂର୍ବରୁ ବିଧାନସଭାକୁ ମୁଲତବୀ କରାଯାଏ, ସେଠାରେ ବିଧାୟକମାନଙ୍କ ଦରମା ତିନିଗୁଣା ବଢ଼ିବ କେଉଁ ନ୍ୟାୟରେ? ସେମାନଙ୍କ ଦରମା ବଢ଼ିବା କ’ଣ ନିହାତି ଆବଶ୍ୟକ?
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ-୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri