ଜେଲରେ ସକିଲ, ଫୋନ୍‌ରେ ମାଗୁଛନ୍ତି ଦାଦାବଟି

କଟକ ଅଫିସ,୨୦ା୮: ଦୁର୍ଦ୍ଦାନ୍ତ ଅପରାଧୀ ସକିଲ ଅହମ୍ମଦ ଓରଫ ମହମ୍ମଦ ସକିଲ ଏବେ କେନ୍ଦୁଝର ଜେଲରେ ରହିଛନ୍ତି। କିଛି ଦିନ ତଳେ ପୋଲିସ କମିଶନରଙ୍କ ନିର୍ଦ୍ଦେଶରେ ସକିଲଙ୍କ ଉପରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ) ଲଗାଯାଇଥିଲା। କୌଣସି ଅପରାଧିକ କାର୍ଯ୍ୟକଳାପ ଯୋଜନା କରୁଥିବା ସନ୍ଦେହ କରି ପୋଲିସ ତାଙ୍କ ଉପରେ ତୀକ୍ଷ୍ମ ନଜର ରଖିଥିଲା। ତଥାପି ଜେଲ ଭିତରେ ରହି ଫୋନ ଯୋଗେ ସକିଲ ଦାଦାବଟି ଆଦାୟ କରୁଛନ୍ତି। କ୍ୟାଣ୍ଟନମେଣ୍ଟ ଥାନାରେ ଏ ନେଇ ଏକ ଅଭିଯୋଗ ହେବା ପରେ ପୋଲିସ ବୁଧବାର ସକିଲଙ୍କ ୪ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପିଣ୍ଟୁ ଓରଫ ମହମ୍ମଦ ଆସିଫ (୨୮), ଚିକୁ ଓରଫ ଦିଲନୱାଜ ଖାନ (୨୮), ମୁନା ଓରଫ ସୟଦ ରେହମାନ ଅଲ୍ଲୀ (୨୮) ଓ ମହମ୍ମଦ ଜାଭେଦ (୩୧)। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ସ୍କୁଟି (ଓଡି୦୫ ଏଏଫ୍‌ ୧୪୬୧) ଓ ୫ଟି ମୋବାଇଲ ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ପେନସନ ଲେନର ମୀର ମହମ୍ମଦ ରାଜା ଗତ ୧୬ ତାରିଖରେ ଦେଇଥିବା ଏତଲାରେ ଦର୍ଶାଇଥିଲେ ଯେ, ତାଙ୍କର ‘ବାବୁ ଇଲେକଟ୍ରୋନିକ୍ସ’ ନାମରେ ଏକ ମୋବାଇଲ ସରଞ୍ଜାମର ହୋଲସେଲ କାଉଣ୍ଟର ରହିଛି। ୧୩ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ପିଣ୍ଟୁ ଓ ଚିକୁ ତାଙ୍କ କାଉଣ୍ଟରରେ ପହଞ୍ଚତ୍ ୧ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ପରେ ଫୋନ କରି ସକିଲଙ୍କ ସହ କଥା କରାଇଥିଲେ। ୨୪ ଘଣ୍ଟା ଭିତରେ ଦାବି ମୁତାବକ ଟଙ୍କା ନ ଦେଲେ ଜୀବନରୁ ମାରି ଦିଆଯିବ ବୋଲି ରାଜାଙ୍କୁ ଧମକ ମିଳିଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି କେସ ନଂ ୮୯/୨୦, ଆଇପିସିର ୩୮୬, ୩୮୭, ୧୨୦(ବି), ୫୦୬, ୫୦୭, ୩୪ ଓ ୨୫/୨୭ ଆମର୍‌ସ ଆକ୍ଟରେ ଏକ ମାମଲା ରୁଜୁ କରିଥିଲା। ଅଭିଯୋଗକାରୀଙ୍କ ବୟାନ ଓ କାଉଣ୍ଟରରେ ଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବୁଧବାର ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।