ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ ଛାତ୍ର ଏନ୍‌ଇଇଟି ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୯।୯ (ବ୍ୟୁରୋ) : ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି(ୟୁଜି)-୨୦୨୨ରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଛାତ୍ର ପ୍ରିୟ ସୋମଦତ୍ତ ନାୟକ ସର୍ବଭାରତୀୟ ସ୍ତରରେ ୩୯ତମ ର଼୍ୟାଙ୍କ ହାସଲ କରିବା ସହ ରାଜ୍ୟ ଟପ୍ପର ହୋଇଛନ୍ତି। ସେ ସର୍ବମୋଟ ୭୦୫ ନମ୍ବର ରଖିଥିବାବେଳେ ତାଙ୍କର ୯୯.୯୯୭୬୧୯୮ ପର୍ସେଣ୍ଟାଇଲ ସ୍କୋର୍‌ ରହିଛି। ପଦାର୍ଥ ବିଜ୍ଞାନରେ ୧୮୦ ନମ୍ବର ଥିବାବେଳେ ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନରେ ୧୭୫ ନମ୍ବର ଲେଖାଏ ରହିଛି। ପ୍ରିୟ ସୋମଦତ୍ତଙ୍କ ଘର ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ। ତାଙ୍କ ପିତା ସଞ୍ଜୀବ ନାୟକ ଆଇଟିସିରେ ସେଲ୍‌ସ ମ୍ୟାନେଜର୍‌ ଥିବାବେଳେ ମା’ ଅନୁପମା ନାୟକ ଜଣେ ଗୃହିଣୀ। ସେହିପରି ସାଇ ଇଣ୍ଟରନ୍ୟାଶନାଲର ସୌମ୍ୟ ସାଜନ ପଣ୍ଡା ୬୮୬ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୪୩୯ତମ ସ୍ଥାନରେ ରହିଥିବାବେଳେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଅନ୍ୟତମ ଛାତ୍ର ସୂର୍ଯ୍ୟାଂଶ କୁମାର ଦାଶ ୬୮୫ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୪୭୫ତମ ସ୍ଥାନରେ ରହିଥିବାବେଳେ ପ୍ରତୀକ ସାହୁ ୬୮୫ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୫୦୪ତମ ଓ ଅଭୀପ୍‌ସା ପାଢ଼ୀ ୬୮୫ ମାର୍କ ସହ ସର୍ବଭାରତୀୟ ସ୍ତରରେ ୫୩୩ତମ ସ୍ଥାନରେ ରହି ରାଜ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। କରୋନାଭଳି କଠିନ ସମୟରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରଚେଷ୍ଟା ଫଳରେ ଜେଇଇ ମେନ୍‌ ଓ ଆଡ୍‌ଭାନ୍ସଡ଼ ସହିତ ଏନ୍‌ଇଇଟି ପରୀକ୍ଷାରେ ରାଜ୍ୟ ଟପ୍ପର ହେବା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସାଇ ଇଣ୍ଟରନ୍ୟାଶନାଲ୍‌ର ଚେୟାରପର୍ସନ ଡ. ଶିଳ୍ପୀ ସାହୁ କହିଛନ୍ତି। ପ୍ରିନ୍ସପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ କହିଛନ୍ତି, ନିଟ୍‌ ପରୀକ୍ଷାରେ ଏଭଳି ଉତ୍କୃଷ୍ଟ ମାନର ସଫଳତା ହାସଲ କରି ଏମାନେ ଅନ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।