ସାଇ ଇଣ୍ଟରନ୍ୟାଶନାଲକୁ ଶ୍ରେଷ୍ଠ ସ୍କୁଲ ମାନ୍ୟତା

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଏଜୁକେଶନ୍‌ ୱାଲର୍‌ଡ ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗ୍‌ ୨୦୨୦ର ଡେ’ କମ୍‌ ବୋର୍ଡିଂ ବିଭାଗରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସ୍କୁଲ ଏବଂ ଓଡ଼ିଶାର ଏକ ନମ୍ବର ସ୍କୁଲର ମାନ୍ୟତା ପାଇଛି। ପୂର୍ବ ଭାରତରୁ ଏକମାତ୍ର ସ୍କୁଲ ଭାବେ ସହବନ୍ଧିତ ହୋଇ କେ-୧୨ ଶୈକ୍ଷିକ କ୍ଷେତ୍ରରେ ପ୍ରବେଶ କରିଛି। ୨୦୧୯ରେ ସାଇ ଇଣ୍ଟରନ୍ୟାଶନାଲ ଦେଶର ତୃତୀୟ ଶ୍ରେଷ୍ଠ ସ୍କୁଲ ମାନ୍ୟତା ପାଇଥିଲା। ସାଇ ଇଣ୍ଟରନ୍ୟାଶନାଲ ସହିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌ (ଡିପିଏସ୍‌) ଆର୍‌କେପୁରମ୍‌ ଦିଲ୍ଲୀକୁ ମଧ୍ୟ ଶ୍ରେଷ୍ଠ ସ୍କୁଲ ମାନ୍ୟତା ମିଳିଛି। ଏଜୁକେଶନ୍‌ ୱାଲର୍‌ଡ ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗ୍‌ ସର୍ବେକ୍ଷଣରେ ସମୁଦାୟ ୧ହଜାର ପ୍ରମୁଖ ସ୍କୁଲ୍‌ର ୧୧୩୬୮ଜଣ ଶିକ୍ଷାବିତ୍‌, ପ୍ରିନ୍ସପାଲ୍‌, ଶିକ୍ଷକ ଓ ଅଭିଭାବକଙ୍କୁ ସାମିଲ କରାଯାଇଥିଲା। ଦିଲ୍ଲୀର ଏକ ଓପିନିୟନ୍‌ ପୋଲ୍‌ ସଂସ୍ଥା ସି-ଫୋର ଗ୍ରୁପ୍‌ ଏହି ସର୍ଭେ କରିଥିଲା। ଶିକ୍ଷକ କଲ୍ୟାଣ ଓ ବିକାଶ, ଏକାଡ଼େମିକ୍‌ ପ୍ରତିଷ୍ଠା, ଶିକ୍ଷକ ଦକ୍ଷତା, ନେତୃତ୍ୱ, ଭିତ୍ତିଭୂମି, ଜୀବନ କୌଶଳ ସହ ପାଠ୍ୟକ୍ରମ ଓ କ୍ରୀଡ଼ା ଶିକ୍ଷା ପରି ୧୪ ପାରାମିଟରକୁ ବିଚାରକୁ ନେଇ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲକୁ ଶ୍ରେଷ୍ଠ ସ୍କୁଲ ଭାବେ ଚୟନ କରାଯାଇଥିଲା। ଏହି ମାନ୍ୟତା ତଥା ପୁରସ୍କାର ସାଇ ଇଣ୍ଟରନ୍ୟାଶନାଲ ଗ୍ରୁପ୍‌ର ସମସ୍ତ ଅଭିଭାବକ, ଛାତ୍ରୀଛାତ୍ର, ଅଧ୍ୟାପକଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ପ୍ରତିଷ୍ଠାତା ତଥା ମେଣ୍ଟର ଡ. ବିଜୟ କୁମାର ସାହୁ ପ୍ରକାଶ କରିଛନ୍ତି।