ନର୍ଦ୍ଦମା ପାଣିରେ ସାହି ବାସିନ୍ଦା : ରାସ୍ତାରେ ଶୋଇ ଜଣାଇଲେ ନୀରବ ପ୍ରତିବାଦ

ଭଦ୍ରକ ଅଫିସ, ୫ା୮-ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଚରମ୍ପା ଓ ଏରେଇ ପଞ୍ଚାୟତର ଆର୍‌ଟିଓ ଅଫିସ ସଂଲଗ୍ନ ଆଦିବାସୀପଡ଼ା ବାସିନ୍ଦା ସବୁକ୍ଷେତ୍ରରେ ଉପେକ୍ଷିତ ହୋଇରହିଛନ୍ତି। ଏଠାକାର ଲୋକେ ଦୀର୍ଘଦିନ ହେଲା ବିଦ୍ୟୁତ୍‌ ସେବାରୁ ବଞ୍ଚିତ ରହିଥିବା ବେଳେ ଏବେ ନର୍ଦ୍ଦମା ପାଣି ଚିନ୍ତା ବଢାଇଛି। ଦୁଇଦିନ ବର୍ଷା ହେବା ଫଳରେ ସାହି ମଧ୍ୟରେ ଆଣ୍ଠୁଏ ଉପରେ ନର୍ଦ୍ଦମା ପାଣି ଜମି ରହିବା ସହ ଘର ମଧ୍ୟରେ ମଧ୍ୟ ପଶିଯାଇଛି। ଏହାସହ ଚରମ୍ପା ଅଞ୍ଚଳରୁ ନର୍ଦ୍ଦମା ପାଣି ଏହି ସାହିକୁ ଛଡାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ପ୍ରଶାସନ କି ଜନପ୍ରତିନିଧି କେହି ଦୃଷ୍ଟି ନ ଦେବାରୁ ମଙ୍ଗଳବାର ଭଦ୍ରକ ଶହୀଦ ବିର୍ସା ମୁଣ୍ଡା ଆଦିବାସୀ ସଂଘ ସଭାପତି ଭବେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା, ପୁରୁଷ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ଘର ଅଭିମୁଖେ ଶୋଭାଯାତ୍ରାରେ ଯାଉଥିଲେ। ରାଜଘାଟ ପୋଲଠାରେ ପୋଲିସ ଅଟକାଇବାକୁ ଉଦ୍ୟମ କରି ପ୍ରତିବାଦକାରୀଙ୍କ ବ୍ୟାନର ଚିରି ଦେଇଥିଲା। ଫଳରେ ଲୋକେ ରାସ୍ତା ଉପରେ ଶୋଇ ନୀରବ ପ୍ରତିବାଦ ଜଣାଇଥିଲେ। ଏସ୍‌ଡ଼ିପିଓ ସୁନୀଲ ନନ୍ଦ ଓ ଉପଜିଲାପାଳ ପୀତାମ୍ବର ସାମଲ ପହଞ୍ଚତ୍ ବୁଝାଶୁଝା କରିବା ସହ ଯଥାଶୀଘ୍ର ସେମାନଙ୍କ ସମସ୍ୟା ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ମଲ୍ଲିକଙ୍କ ସହ ଫୋନ ଯୋଗେ ଆଲୋଚନା ପରେ ଆଦିବାସୀମାନେ ବିକ୍ଷୋଭରୁ ହଟିଥିଲେ।