ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଶିଶୁ ବାଟିକାକୁ ମିଶାଇ ୯ଟି ଶ୍ରେଣୀ ରହିଛି। ୬ଟି କୋଠରି ରହିଥିବାରୁ ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲା ବାରଣ୍ଡାରେ ବସି ପାଠ ପଢୁଛନ୍ତି। ବିଦ୍ୟାଳୟରେ ୩୮୦ ଛାତ୍ରୀଛାତ୍ର ଥିବାବେଳେ ୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ମେଟ୍ରନ ନ ଥିବାରୁ ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ରାତି ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହଠାତ୍ କୌଣସି ଅସୁବିଧା ହେଲେ ଜଣାଇବା ପାଇଁ କେହି ନାହାନ୍ତି। ପରିଚାଳନା କମିଟି ଗଠନ ହୋଇ ନ ଥିବାରୁ ମନମୁଖୀ ଚଳାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଛାତ୍ରୀଛାତ୍ରଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପେଟପୁରା ମିଳୁନାହିଁ। ଅବିଭାବକ ଓ ଛାତ୍ରୀଛାତ୍ର ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପାଣି ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ କରାଯାଉ ନାହିଁ। ପାଇଖାନାରେ ପାଣିର ସୁବିଧା ନ ଥିବାରୁ ଛାତ୍ରୀଛାତ୍ର ବାହାରୁ ପାଣି ନେଇ ବ୍ୟବହାର କରୁଛନ୍ତି। ବିଦ୍ୟାଳୟ ଚର୍ତୁପାଶ୍ୱରେ ପାଚେରି ନ ଥିବାରୁ କୌଣସି ହିଂସ୍ରଜନ୍ତୁ ପଶିଯିବା ସମ୍ଭାବନା ରହିଛି। ବିଦ୍ୟାଳୟରେ ୨୦୨୪ ଓ ୨୦୨୫ରେ ଦୁଇଟି ଅଘଟଣ ଘଟିଥିବାରୁ ଛାତ୍ରୀଛାତ୍ର ଭୟଭୀତ ଅବସ୍ଥାରେ ରହିଛନ୍ତି। ଏ ସଂକ୍ରାନ୍ତରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସକୁନ୍ତଳା ତ୍ରିପାଠୀଙ୍କୁ ପଚାରିବାରୁ ବିଦ୍ୟାଳୟର ସମାସ୍ୟ ଉପରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଗ୍ରାମବାସୀଙ୍କ ବିରୋଧ ଯୋଗୁ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇପାରୁ ନାହିଁ। ଆସନ୍ତା ମାର୍ଚ୍ଚ ମାସରେ ପରିଚାଳନା କମିଟି ଗଠନ ହେବ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

