‘ଫେମିନା ମିସ୍‌ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌

ଭୁବନେଶ୍ୱର,୧୯ା୪ (ଅନୁରାଧା ମହାରଣା): ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ଶନିବାର ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୬’ର ୬୧ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି ପ୍ରତିଷ୍ଠିତ ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଗୋଆର ସାଧ୍‌ଭୀ ସୈଲ୍‌ ‘ଫେମିନା ମିସ୍‌ ଇଣ୍ଡିଆ’ ମୁକୁଟ ପିନ୍ଧିଥିବାବେଳେ ମିସ୍‌ ଓ୍ୱାଲର୍‌ଡ ପ୍ୟାଜେଣ୍ଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ମହାରାଷ୍ଟ୍ରର ରାଜନନ୍ଦିନୀ ପାଓ୍ୱାର ପ୍ରଥମ ରନର ଅପ୍‌ ଏବଂ ଶ୍ରୀ ଅଦ୍ୱୈତା ଜି. ଦ୍ୱିତୀୟ ରନର ଅପ୍‌ ଟାଇଟଲ ଜିତିଛନ୍ତି।
କିଟ୍‌ କ୍ୟାମ୍ପସ୍‌ ୧୩ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର ବୟନ ମନ୍ତ୍ରଣାଳୟର ପ୍ରତିନିଧି ଏମ୍‌ ବୀନା, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମେୟର ସୁଲୋଚନା ଦାସ, ବିନୀତ ଜୈନ୍‌ ଏବଂ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଲୋକପ୍ରିୟ ଉପସ୍ଥାପକ ମନୀଷ ପଲ୍‌ ଓ ସାରା ଜୈନ୍‌ ମଞ୍ଚ ଉପସ୍ଥାପନ କରିଥିଲେ। ଭୁବନେଶ୍ୱର ପ୍ରଥମଥର ପାଇଁ ଫେମିନା ମିସ୍‌ ଇଣ୍ଡିଆ ଆୟୋଜନ କରି ଗର୍ୱିତ ହୋଇଛି ବୋଲି ଅଚ୍ୟୁତ ସାମନ୍ତ କହିଛନ୍ତି। ନିକିତା ପୋଡ୍‌ଓ୍ୱାଲ୍‌ ‘ଡଟର୍‌ ଅଫ୍‌ ଦ ଲ୍ୟାଣ୍ଡ୍‌’ ଥିମ୍‌ ଉପରେ ଭାଷଣ ଦେଇ ଭାରତର ମହିଳାଙ୍କ ଶକ୍ତି, ଆକାଂକ୍ଷା ଓ ସଫଳତାକୁ ଉପସ୍ଥାପିତ କରିଥିଲେ। ବିଭିନ୍ନ ରାଜ୍ୟରୁ ଆସିଥିବା ୩୦ଜଣ ପ୍ରତିଭାବାନ୍‌ ଫାଇନାଲିଷ୍ଟ କ୍ଲାସିକାଲ୍‌ ପରିବେଷଣ ଓ ସଙ୍ଗୀତ ମଧ୍ୟରେ ରାମ୍ପରେ ଚାଲି ଦର୍ଶକ ଓ ବିଚାରକଙ୍କୁ ପ୍ରଭାବିତ କରିଥିଲେ। ଓଡ଼ିଶାର ପ୍ରତିଯୋଗୀ ଆୟୁଷୀ ପଣ୍ଡା ଶ୍ରେଷ୍ଠ ୧୫ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଷ୍ଟାର୍‌-ଷ୍ଟଡେଡ୍‌ ଜୁରି ପ୍ୟାନେଲ୍‌ରେ ଅଭିନେତ୍ରୀ ଜୀନତ ଅମନ୍‌, କୋରିଓଗ୍ରାଫର୍‌ ଟେରେନ୍ସ ଲୁଇସ୍‌, ଗାୟକ ଆମାଲ୍‌ ମଲ୍ଲିକ୍‌, ଅଭିନେତ୍ରୀ ସିମରନ୍‌, ସେଲିନା ଜେଟ୍‌ଲି, ନିର୍ଦ୍ଦେଶକ ମଧୁର୍‌ ଭଣ୍ଡାରକର୍‌, ଅଭିନେତ୍ରୀ ନେହା ଧୁପିଆ, ଅଲିମ୍ପିଆନ୍‌ ଦୂତୀ ଚାନ୍ଦ୍‌ ଓ ମିସ୍‌ ଡିଭା ୨୦୧୯ ବର୍ତ୍ତିକା ସିଂହ ଥିଲେ। ନୃତ୍ୟାଙ୍ଗନା ଲରେନ୍‌ ଗଟଲିବ୍‌, ଅଭିନେତା ଇଶାନ୍‌ ଖଟ୍ଟର୍‌ ଓ ଗାୟକ ଜୁବିନ୍‌ ନୌଟିଆଲଙ୍କ ମନଛୁଅଁା ପରିବେଷଣ ଦର୍ଶକଙ୍କ ବେଶ୍‌ ମନୋରଞ୍ଜନ କରିଥିଲା।

Share