Categories: Home Leftଖେଳ

ଧୋନୀଙ୍କ ଅବସରକୁ ନେଇ ସଚିନଙ୍କ ବଡ଼ ବୟାନ: କଲେ ଏଭଳି ଖୁଲାସା, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ୧୦ଟି ଟିମ ନଭେମ୍ବର ୧୭ ତାରିଖରେ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରି କରିଥିଲେ। ସେହିଦିନ ଚେନ୍ନାଇ ସୁପର କିଙ୍ଗ୍ସ (CSK) ମହେନ୍ଦ୍ର ସିଂହ ଧୋନୀଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲା। ଧୋନୀ ନିଜ ଅବସର ସମ୍ପର୍କରେ CSKକୁ ଜଣାଇ ଦେଇଥିଲେ। ଖେଳାଳିଙ୍କ ରିଲିଜ ତାଲିକା ଘୋଷଣା ହେବାର ଠିକ ପୂର୍ବରୁ ଧୋନୀ ନିଜ ଅବସର ସମ୍ପର୍କିତ ଭିଡିଓ ପୋଷ୍ଟ କରିଥିଲେ। ଏହାପରେ କ୍ରିକେଟ ଜଗତର ବହୁ ଦିଗ୍ଗଜ ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ତାଲିକାରେ ଏବେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁ ମଧ୍ୟ ଯୋଡ଼ି ହୋଇଛି।

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ପାଇଁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ମୋର ଆଜି ବି ମନେ ଅଛି, ବାଂଲାଦେଶରେ ଏମଏସ୍‌ ଧୋନୀଙ୍କୁ ବ୍ୟାଟିଂ କରୁଥିବା ଦେଖି ମୁଁ ସୌରଭ (ଗାଙ୍ଗୁଲି)ଙ୍କୁ କହିଥିଲି ଯେ ତାଙ୍କ ପାୱାର ହିଟିଂରେ କିଛି ଖାସ୍‌ ରହିଛି। ତାଙ୍କ ଭିତରେ ଏକ ବିରଳ ପ୍ରତିଭା ଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ଆଉ ସେ କେତେ ଚମତ୍କାର ଯାତ୍ରା ଅତିକ୍ରମ କରିଛନ୍ତି! ଆପଣଙ୍କ ସହ ଡ୍ରେସିଂ ରୁମ ଶେୟାର କରିବା ଏବଂ ଭାରତୀୟ କ୍ରିକେଟର କିଛି ସ୍ମରଣୀୟ ମୁହୂର୍ତ୍ତର ଅଂଶ ହେବା ମୋ ପାଇଁ ପ୍ରକୃତରେ ଏକ ସୁଖଦ ଅନୁଭୂତି ଥିଲା।’ ଧୋନୀଙ୍କୁ ନେଇ ସଚିନ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ‘ମୋର ସବୁବେଳେ ବିଶ୍ୱାସ ଥିଲା ଯେ ଆପଣ କିଛି ଖାସ କରି ଦେଖାଇବେ। ଆଉ ଆପଣ ମୋର ଆଶାଠାରୁ ମଧ୍ୟ ଅଧିକ ହାସଲ କରିଛନ୍ତି। ଭାରତୀୟ କ୍ରିକେଟର ଆପଣ ନିଜର ସର୍ବଶ୍ରେଷ୍ଠ ଅବଦାନ ଦେଇଛନ୍ତି। ଆପଣଙ୍କ ସହ ଏହି ଯାତ୍ରାରେ ସାମିଲ ହେବା ଅତ୍ୟନ୍ତ ଚମତ୍କାର ଥିଲା। ବହୁତ ଭଲ ଖେଳିଲେ, ଏମଏସ୍‌!’

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଭଲ ସମ୍ପର୍କ ରହିଆସିଛି। ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ କରିବାରେ ମଧ୍ୟ ସଚିନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ଅନ୍ୟପଟେ, ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ଖେଳାଳି ସୂର୍ଯ୍ୟକୁମାର ଯାଦବ ମଧ୍ୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଅବସର ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ‘ସେହି ବ୍ୟକ୍ତି, ଯିଏ ଆମକୁ ଶିଖାଇଥିଲେ ଯେ ସବୁକିଛି ଶେଷ ନହେବା ପର୍ଯ୍ୟନ୍ତ କିଛି ବି ଶେଷ ହୁଏନାହିଁ। ମାହି ଭାଇ, ଆପଣଙ୍କ ସେହି ହେଲିକପ୍ଟର ସଟ୍‌ଠାରୁ ଆରମ୍ଭ କରି ସବୁଠାରୁ କଠିନ ପରିସ୍ଥିତିରେ ଶାନ୍ତ ରହି ମ୍ୟାଚ ଶେଷ କରିବା ପର୍ଯ୍ୟନ୍ତ, ଆପଣ ଏମିତି ଏକ ଇତିହାସ ରଚିଛନ୍ତି, ଯାହା ବିଷୟରେ ଲୋକେ ସାରା ଜୀବନ କଥା ହେବେ। ଆପଣଙ୍କୁ ଆପଣଙ୍କ ନୂଆ ଟ୍ରକ୍‌ରେ ବୁଲାଇ ନେବାକୁ ମୁଁ ଅପେକ୍ଷା କରିଛି। ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ। ଆଗାମୀ ଯାତ୍ରା ପାଇଁ ଅନେକ ଶୁଭେଚ୍ଛା, ମେଣ୍ଟର!’

ମହାନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟକୁ ବିଦାୟ କହିଥିଲେ ମଧ୍ୟ ଆଇପିଏଲ ୨୦୨୭ରେ ସେ CSKର ଜର୍ସିରେ ନଜର ଆସିବେ। ତେବେ ଏଥର ସେ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବେ ନାହିଁ। ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ନିଜର ମେଣ୍ଟର ଭାବେ ନିଯୁକ୍ତ କରିଛି। ଏଭଳି ସ୍ଥିତିରେ ଧୋନୀ ମୁଖ୍ୟ କୋଚ ଜାହିର ଖାନ ଏବଂ ଅଧିନାୟକ ଋତୁରାଜ ଗାଏକୱାଡଙ୍କୁ ସହ ମିଶି ଚେନ୍ନାଇ ସୁପର କିଙ୍ଗ୍ସର ଦାୟିତ୍ୱ ସମ୍ଭାଳିବେ।

Dharitri – Odisha’s No.1 Odia Daily

Share