ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବାରୁ ସୋମବାର ଜଳାଭିଷେକକୁ ବାରଣ କରାଯାଇଛି ।
ପବିତ୍ର ଶ୍ରାବଣ ସୋମବାର ପାଇଁ ନୀଳକଣ୍ଠେଶ୍ଵର ଶୈବପୀଠରେ କାଉଡ଼ିଆଙ୍କ ଦ୍ଵାରା ଶ୍ରାବଣ ଜଳାଭିଷେକ, ପୂଜାର୍ଚ୍ଚନାକୁ ପୋଲିସ ପ୍ରଶାସନର ନିର୍ଦ୍ଦେଶକ୍ରମେ ତପ୍ତପାଣି ଉନ୍ନୟନ କମିଟି ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସମ୍ପୃକ୍ତ ଶୈବପୀଠ ଏବଂ ମା ‘ କନ୍ଧୁଣି ଦେବୀ ମନ୍ଦିର ଇଲାକାକୁ ସ୍ଵତନ୍ତ୍ର ସୁରକ୍ଷାକର୍ମୀ ରବିବାର ସନ୍ଧ୍ୟା ଠାରୁ କବଜାକୁ ନେଇଯାଇଛନ୍ତି । ସେଠାରେ ହାଇ ସିକ୍ୟୁରିଟି ଜାରି କରାଯାଇଛି । ଗଞ୍ଜାମ ଜିଲା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ବୃନ୍ଦ ତପ୍ତପାଣିରେ ଡେରା ପକାଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ତଦାରଖ କରୁଛନ୍ତି । ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସମେତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ବହୁ ସଂଖ୍ୟକ ମନ୍ତ୍ରୀ ତପ୍ତପାଣି ଗସ୍ତ କରିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିଲେ ମଧ୍ୟ ଏନେଇ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।