Categories: ଖେଳ

ଓ୍ବିମ୍ବେଲଡନକୁ ଫେରିଲେ ରୁଷିଆ, ବେଲାରୁଷ ଖେଳାଳି

ଓ୍ବିମ୍ବେଲଡନ (ଇଂଲଣ୍ଡ), ୪ା୭ (ଏପି): ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରହିଛି। ରୁଷିଆ ଓ ଏହାର ସହଯୋଗୀ ରାଷ୍ଟ୍ର ବେଲାରୁଷର ଖେଳାଳିମାନେ କିନ୍ତୁ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ଷକ ପରେ ଫେରିଛନ୍ତି। ୟୁକ୍ରେନ୍‌ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଅଲ୍‌ ଇଂଲଣ୍ଡ କ୍ଲବରେ ଖେଳିବା ଲାଗି ରୁଷିଆ ଓ ବେଲାରୁଷ ଖେଳାଳିଙ୍କ ଉପରେ କଟକଣା ଜାରି କରାଯାଇଥିଲା। ତେବେ ଇତିମଧ୍ୟରେ ତାହା ହଟାଇ ଦିଆଯାଇଛି। ସୋମବାର ସକାଳେ ଦୁଇ ବର୍ଷରେ ପ୍ରଥମ ଓ୍ବିମ୍ବେଲଡନ ମ୍ୟାଚ ଖେଳିଥିଲେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା। କୋର୍ଟ ୧୫ରେ ଦର୍ଶକମାନେ ଭଦ୍ର କରତାଳି ସହ ତାଙ୍କୁ ସ୍ବାଗତ କରିଥିଲେ। ପ୍ରଥମ ରାଉଣ୍ଡରେ ସେ ୟୁଆନ୍‌ ୟୁଇଙ୍କୁ ଭେଟିଥିଲେ। ୩ ସେଟ୍‌ ବିଶିଷ୍ଟ ଏହି ମ୍ୟାଚରେ ଚାଇନାର ଏହି ଖେଳାଳିଙ୍କୁ ହରାଇବା ଲାଗି ତାଙ୍କୁ ଅଢେଇ ଘଣ୍ଟା ସମୟ ଲାଗିଥିଲା। ମ୍ୟାଚ ଜିତିବା ପରେ ଦୁଇଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଆଜାରେଙ୍କା ଏକ ସାକ୍ଷାତ୍‌କାରରେ କହିଛନ୍ତି, ସ୍କୋର ବୋର୍ଡରେ ବିପକ୍ଷ ଖେଳାଳି ୟୁଆନ୍‌ଙ୍କ ନାମ ସହ ତାଙ୍କ ଦେଶର ନାମ ସ୍ଥାନ ପାଇଥିଲା। ମାତ୍ର ତାଲିକାରେ ତାଙ୍କ ନାମ ରହିଥିଲେହେଁ ଦେଶର ନାମ ଉଲ୍ଲେଖ ନ ଥିଲା। ଅନ୍ୟ କେତେକ କ୍ରୀଡ଼ାରେ ମଧ୍ୟ ଏହି ଭଳି କିଛି ନୀତି ଅନୁସରଣ କରାଯାଉଛି। ରୁଷିଆ କିମ୍ବା ବେଲାରୁଷରେ ଓ୍ବିମ୍ବେଲଡନ ପ୍ରସାରଣ ପାଇଁ ଅନୁମତି ନାହିଁ। ଅଫିସିଆଲ କାର୍ଯ୍ୟସୂଚୀ ହେଉ ଅବା ଅଲ୍‌ ଇଂଲଣ୍ଡ କ୍ଲବ ଦ୍ୱାରା ପ୍ରଦତ୍ତ ଫଳାଫଳ କିମ୍ବର ମ୍ୟାଚର ଟିଭି ବ୍ରଡକାଷ୍ଟ ସମୟରେ ଗ୍ରାଫିକ୍ସରେ ଦେଶର ନାମ ସ୍ଥାନ ପାଉ ନାହିଁ। ଆଜାରେଙ୍କା କହିଛନ୍ତି, ଏଠାକୁ ଆମେ ଖେଳିବାକୁ ଆସିଛୁ। ତୁମେ କେଉଁ ଦେଶରୁ ପ୍ରତିନିଧିତ୍ୱ କରୁଛ ସେଥିରେ କିଛି ଫରକ ପଡୁ ନାହିଁ। ନିଜଣ ଶ୍ରେଷ୍ଠ କ୍ରୀଡ଼ା ନୈପୁଣ୍ୟ ଦେଖବାକୁ ଆସିଛୁ। ୧୫ତମ ସିଡ୍‌ ରୁଷିଆର ଲୁଉଦମିଲା ସାମସୋନୋଭା କିନ୍ତୁ ରୁମାନିଆର ଆନା ବଗଦାନଙ୍କଠାରୁ ହାରିଯାଇଛନ୍ତି। ସୋମବାର ପ୍ରଥମ ଦିବସ ଖେଳରେ ଯେଉଁ ରୁଷୀୟ ଖେଳାଳିମାନେ ବିଜୟ ଲାଭ କରିଛନ୍ତି, ସେମାନେ ହେଲେ ପୁରୁଷ ସିଙ୍ଗଲ୍ସରେ ୭ମ ସିଡ୍‌ ଆନ୍ଦ୍ରେ ରୁବ୍ଲେଭ ଓ ଅଣସିଡ୍‌ ଅସ୍‌ଲାନ କରାଟସେଭ ଏବଂ ମହିଳା ସିଙ୍ଗଲ୍ସରେ ଭେରୋନିକା କୁଦରମେତୋଭା। ଲ୍ୟୁଦମିଲା କହିଛନ୍ତି, ଦର୍ଶକ ମହଲରେ ୟୁକ୍ରେନକୁ ସମର୍ଥନ କରି ହୋ ହଲ୍ଲା କିମ୍ବା ପ୍ରତିବାଦ ଦେଖିବାକୁ ମିଳି ନ ଥିଲା। ବରଂ ସେମାନେ ସ୍ବାଗତ କରିଥିଲେ। ମ୍ୟାଚ ବେଳେ ଉତ୍ସାହିତ କରୁଥିଲେ।

Share