ଗ୍ରାମ୍ୟ ନିର୍ମାଣ ବିଭାଗ କେନ୍ଦ୍ରାପଡ଼ା-ଯାଜପୁର ସର୍କଲ: ପିସି କାରବାରରୁ ବଢ଼ୁଛି ଦୁର୍ନୀତି, ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୬ା୧୦(ହର୍ଷବର୍ଦ୍ଧନ ବେହେରା): ପ୍ରଶାସନରେ ସ୍ବଚ୍ଛତା ଏବଂ ପରସେଣ୍ଟ (ପିସି) କାରବାରର ମୂଳୋପତ୍ାଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ପିସି ଦୁର୍ନୀତି ବଢ଼ିବାରେ ଲାଗିଛି। ଫଳରେ ଠିକାଦାରମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପିସି କାରବାରରେ ଅତିଷ୍ଠ ହୋଇ କେତେଜଣ ପେଟି କଣ୍ଟ୍ରାକ୍ଟର ଆର୍‌ଡି ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ନିକଟରେ ଲିଖିତ ଭାବେ ତଦନ୍ତ ଦାବି କରିଛନ୍ତି। ଉକ୍ତ ଅଭିଯୋଗକୁ ଆଧାର କରି ଆର୍‌ଡି ବିଭାଗ ପକ୍ଷରୁ ୨୦ା୮ା୨୦୨୬ରେ ଯୁଗ୍ମ ସଚିବ ପୁଷ୍ପିତା ରାଉତ ଆବଶ୍ୟକ ତଦନ୍ତ କରି ସବିଶେଷ ରିପୋର୍ଟ ଦାଖଲ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗର ଯନ୍ତ୍ରୀମୁଖ୍ୟ(ଇଆଇସି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପ୍ରାୟ ୪୦ ଦିନ ଅର୍ଥାତ ୧।୧୦।୨୦୨୬ରେ ଇଆଇସିଙ୍କ କାର୍ଯ୍ୟାଳୟରୁ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର(ଏଷ୍ଟିମେଟ) କେନ୍ଦ୍ରାପଡ଼ା-ଯାଜପୁର ଗ୍ରାମ୍ୟ ନିର୍ମାଣ ସର୍କଲର ଚିଫ୍‌ କନ୍‌ଷ୍ଟ୍ରକ୍ସନ ଇଞ୍ଜିନିୟରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ। ଉକ୍ତ ନିର୍ଦ୍ଦେଶ ପତ୍ରକୁ ଆଧାର କରି ଚିଫ୍‌ କନ୍‌ଷ୍ଟ୍ରକ୍ସନ ଇଞ୍ଜିନିୟର ୧୪ା୧୦ା୨୦୨୬ରେ କେନ୍ଦ୍ରାପଡ଼ା-ଯାଜପୁର ସର୍କଲ ଅଧୀନ ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ(ଏସ୍‌ଇ)ମାନଙ୍କୁ ପେଟି କଣ୍ଟ୍ରାକ୍ଟରଙ୍କ ଅଭିଯୋଗ ଉପରେ ଏକ ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଯେଉଁ ବିଭାଗୀୟ ଅଧିକାରୀମାନେ ପିସି କାରବାରରେ ପରୋକ୍ଷ ଭାବେ ଜଡ଼ିତ ସେମାନଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାରୁ ଏହାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ପେଟି କଣ୍ଟ୍ରାକ୍ଟରମାନେ ଆଣିଥିବା ଅଭିଯୋଗର ତଦନ୍ତ କେଉଁ ଆଡ଼କୁ ଯିବ, ଏସ୍‌ଇଙ୍କ ରିପୋର୍ଟ ପରେ ସ୍ପଷ୍ଟ ହେବ ବୋଲି ଆଲୋଚନା ହେଉଛି।
ପେଟି କଣ୍ଟ୍ରାକ୍ଟରମାନେ ଆର୍‌ଡି ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ କରିଥିବା ଅଭିଯୋଗ ଅନୁସାରେ, ସେମାନେ ଛୋଟ ଛୋଟ ପ୍ରକଳ୍ପ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ କେନ୍ଦ୍ରାପଡ଼ା-ଯାଜପୁର ସର୍କଲର କେତେକ ଡିଭିଜନରେ କାମ କରୁଥିବା ଆକାଉଣ୍ଟାଣ୍ଟ ଓ ଠିକା କର୍ମଚାରୀମାନେ ବିଲ୍‌ ଏଣ୍ଟ୍ରି କରିବାକୁ ୧ହଜାର ଟଙ୍କା ଲେଖାଏ ନେଉଛନ୍ତି। ଘର ପାଖରେ ନିଯୁକ୍ତି ପାଇଥିବାରୁ ଠିକା କର୍ମଚାରୀମାନେ ସେମାନଙ୍କ କାୟା ବିସ୍ତାର କରି ଚାଲିଛନ୍ତି। ଅଫିସକୁ ନିଜ କବ୍‌ଜାରେ ରଖି କେତେକ ଅଫିସରଙ୍କ ଇଙ୍ଗିତରେ ପିସି ଆଦାୟ କରୁଛନ୍ତି। ଏପରି କି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ) ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଠିକା କର୍ମଚାରୀ ଗୋଟିଏ ବିଲ୍‌ ପାଇଁ ୨ ହଜାରରୁ ୩ ହଜାର ଟଙ୍କା ଦାବି କରୁଛନ୍ତି। ଆଉ ଏହି ଟଙ୍କା ନ ଦେଲେ ବିଲ୍‌ଗୁଡ଼ିକୁ ଦସ୍ତଖତ ନ କରି ପକାଇ ରଖି ଦେଉଛନ୍ତି। ଫଳରେ ନିର୍ଦ୍ଧାରିତ ସମୟ ଗଡ଼ି ଗଲେ ହଜାର ହଜାର ଟଙ୍କା କ୍ଷତି ହେଉଛି। ଏସମ୍ପର୍କରେ ଅଧୀକ୍ଷଣ ଓ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ଡିଭିଜନରେ ଏକାଧିକ ନିୟମିତ କର୍ମଚାରୀମାନେ ରହିଥିଲେ ମଧ୍ୟ ଠିକା କର୍ମଚାରୀଙ୍କୁ ଗୁରୁତ୍ୱ ଦିଆଯାଉଛି। ଏପରିକି ସେମାନଙ୍କ ଦୁର୍ବ୍ୟବହାରରେ ପେଟି କଣ୍ଟ୍ରାକ୍ଟରମାନେ ଅତିଷ୍ଠ ହୋଇ ପଡ଼ିଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଅବିନାଶ ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି, କେନ୍ଦ୍ରାପଡ଼ା-ଯାଜପୁର ଗ୍ରାମ୍ୟ ନିର୍ମାଣ ସର୍କଲର ଚିଫ୍‌ କନ୍‌ଷ୍ଟ୍ରକ୍ସନ୍‌ ଇଞ୍ଜିନିୟରଙ୍କ ପକ୍ଷରୁ ପେଟି କଣ୍ଟ୍ରାକ୍ଟରଙ୍କ ଅଭିଯୋଗ ଉପରେ ତଦନ୍ତ ନିର୍ଦ୍ଦେଶ ପତ୍ର ଆସିଛି। ଏସଂକ୍ରାନ୍ତରେ ସେ ଉପଯୁକ୍ତ ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିବେ। ତେବେ ଯାଜପୁର ଡିଭିଜନରେ ପ୍ରକଳ୍ପଗୁଡିକର ବିଲ୍‌ ପ୍ରସ୍ତୁତି ସମୟରେ ପିସି କାରବାର ଓ ଦୁର୍ନୀତି ହେଉ ନାହିଁ ବୋଲି ବାରିକ କହିଛନ୍ତି।

Dharitri – Odisha’s No.1 Odia Daily

Share